ସୁନ୍ଦରଗଡ଼ ଲାଇଭ୍ : ୨୦୨୯ ମସିହା ସୁଦ୍ଧା ଭାରତକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଏକ ସ୍ୱତନ୍ତ୍ର ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଛନ୍ତି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର ପ୍ରକାଶ କରିଛନ୍ତି। ନିଶାଦ୍ରବ୍ୟ ବିରୋଧୀ ଲଢ଼େଇକୁ ଜାତୀୟ ସୁରକ୍ଷାର ପ୍ରାଥମିକତା ଭାବେ ଗ୍ରହଣ କରାଯାଇଛି ଏବଂ ଏହା ଏବେ ଏକ ସମନ୍ୱିତ ଜାତୀୟ ଅଭିଯାନରେ ପରିଣତ ହୋଇଛି ବୋଲି ଗଣମାଧ୍ୟମକୁ ସମ୍ବୋଧିତ କରି ସେ କହିଛନ୍ତି।
୨୦୪୭ ସୁଦ୍ଧା ‘ନିଶାମୁକ୍ତ ଯୁବ ଶକ୍ତି’ ଭାରତକୁ ‘ବିକଶିତ ଭାରତ’ ଆଡ଼କୁ ନେଇଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ରହିଛି। ନକ୍ସଲବାଦ ଓ ଆତଙ୍କବାଦ ବିରୋଧରେ ଯେଉଁଭଳି କଠୋର ପଦ୍ଧତି ଆପଣାଯାଇଥିଲା, ସମାନ କଠୋରତା ସହ ନିଶାଦ୍ରବ୍ୟ କାରବାର ବିରୋଧରେ ଲଢ଼େଇ କରାଯିବ। ୨୦୧୪ ପୂର୍ବରୁ କେବଳ ଛୋଟ ଅଭିଯୁକ୍ତଙ୍କୁ ଧରିବା ଉପରେ ଧ୍ୟାନ ଦିଆଯାଉଥିବା ବେଳେ ଏବେ ସମ୍ପୂର୍ଣ୍ଣ ନେଟୱର୍କକୁ ଧ୍ୱଂସ କରିବାକୁ ପ୍ରାଥମିକତା ଦିଆଯାଉଛି।
‘NCORD’, ରାଜ୍ୟ ନିଶା ନିବାରଣ ଟାସ୍କ ଫୋର୍ସ, ‘ମାନସ୍’ ହେଲ୍ପଲାଇନ୍ ଏବଂ ପୁନଃଗଠିତ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ମଧ୍ୟରେ ଉତ୍ତମ ସମନ୍ୱୟ ମାଧ୍ୟମରେ ଏହି ଅଭିଯାନକୁ ଅଧିକ କ୍ରିୟାଶୀଳ କରାଯାଇଛି। ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦ ଓ ବିଚ୍ଛିନ୍ନତାବାଦୀ ଭାବନା ଯଥେଷ୍ଟ ହ୍ରାସ ପାଇଥିବା ସେ ସୂଚନା ଦେଇଛନ୍ତି।





