ସୁନ୍ଦରଗଡ଼ ଲାଇଭ୍ : ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଅଧିକ ସଂସ୍କାରମୂଳକ ଓ ପରୀକ୍ଷାର୍ଥୀ-ଅନୁକୂଳ କରିବା ପାଇଁ ସରକାର ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଏଣିକି ଦଶମ ଶ୍ରେଣୀର ପାଠ୍ୟକ୍ରମ ବଦଳିବା ସହ ଦ୍ୱାଦଶ ଶ୍ରେଣୀ ପାଇଁ ନୂଆ ପ୍ରସ୍ତୁତି ଆରମ୍ଭ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE)କୁ ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ଦିନରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଗୋଟିଏ ବୋର୍ଡ଼ ଗଠନ କରିବାକୁ ଯୋଜନା ରହିଛି।
ଯୁକ୍ତ ଦୁଇ (+2) ପାଠ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଏବେ ମାତୃଭାଷା ଓଡ଼ିଆରେ ବିଜ୍ଞାନ (Science) ଓ ବାଣିଜ୍ୟ (Commerce) ପଢ଼ିବାର ସୁଯୋଗ ପାଇବେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ସାହାଯ୍ୟାର୍ଥେ ମାଗଣା ଡିଜିଟାଲ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯିବ, ଯାହା ପାଇଁ CHSEକୁ ୧୦ କୋଟି ଟଙ୍କାର ଅନୁଦାନ ଦିଆଯାଇଛି। ମୁକ୍ତ ବିଦ୍ୟାଳୟରେ +2 ପାଠ୍ୟକ୍ରମ ଆରମ୍ଭ କରାଯିବ ଏବଂ ୧୮ ବର୍ଷ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷା ପ୍ରଦାନ କରାଯିବ। ଶିକ୍ଷା ସହ କର୍ମନିଯୁକ୍ତି ପାଇଁ ଛାତ୍ରଛାତ୍ରୀଙ୍କୁ ଦକ୍ଷତାଭିତ୍ତିକ ତାଲିମ (Skill Development) ଦିଆଯିବ।
ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ପ୍ରସ୍ତାବିତ ‘ଗୋଟିଏ ବୋର୍ଡ’ର କାର୍ଯ୍ୟାଳୟ କେଉଁଠାରେ ହେବ, ସେନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ। ସରକାରଙ୍କ ଏହି ଯୁଗାନ୍ତକାରୀ କଦମ ରାଜ୍ୟର ଶିକ୍ଷାର୍ଥୀଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ।





