ସୁନ୍ଦରଗଡ଼ ଲାଇଭ୍ : ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ରାଜ୍ୟରେ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଛନ୍ତି। ଗତକାଲି ସୁଦ୍ଧା ୨୧ ଲକ୍ଷ ୪୨ ହଜାର ୭୨୩ ଜଣ ଚାଷୀ ନିଜର ନାମ ପଞ୍ଜୀକରଣ କରିସାରିଥିବା ବେଳେ ଏହି ଅବଧି ଆଉ ବୃଦ୍ଧି କରାଯିବ ନାହିଁ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସ୍ପଷ୍ଟ କରିଛନ୍ତି।
ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ପୂର୍ବରୁ ପଞ୍ଜୀକରଣ ସମୟସୀମାକୁ ୭ ଦିନ ବଢ଼ାଇଥିଲେ। ଆଜି ରାତି ୧୨ଟା (୧ଟା) ପର୍ଯ୍ୟନ୍ତ ଶେଷ ସୁଯୋଗ ରହିଛି, ଏହାପରେ ପୋର୍ଟାଲ ବନ୍ଦ ହୋଇଯିବ।
ଗତବର୍ଷ ୧୯ ଲକ୍ଷ ୬୭ ହଜାର ଚାଷୀ ପଞ୍ଜୀକରଣ କରିଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୨୧ ଲକ୍ଷ ଅତିକ୍ରମ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ରାଜ୍ୟରେ ସାର ଯୋଗାଣ ସ୍ୱାଭାବିକ ରହିଛି। ବର୍ତ୍ତମାନ ସରକାରଙ୍କ ପାଖରେ ୨୪ ହଜାର ୪୦୦ ଟନ୍ ସାର ଗଚ୍ଛିତ ଅଛି। ସାର ବଣ୍ଟନରେ ଅବହେଳା କିମ୍ବା ଅନିୟମିତତା କଲେ ଡିଲରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଆବଶ୍ୟକ ପଡ଼ିଲେ ଲାଇସେନ୍ସ ରଦ୍ଦ ଓ ନିଲମ୍ବନ କରାଯାଉଛି।
ସରକାର ସବୁବେଳେ ଚାଷୀଙ୍କ ହିତ ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ପ୍ରକାଶ କରିବା ସହ ପଞ୍ଜୀକରଣକୁ ନେଇ ବିରୋଧୀଙ୍କ ଆନ୍ଦୋଳନ ଧମକକୁ ମନ୍ତ୍ରୀ ସମାଲୋଚନା କରିଛନ୍ତି।





