ସୁନ୍ଦରଗଡ଼ ଲାଇଭ୍: ଯାଜପୁର ଜିଲ୍ଲାରେ ବୈତରଣୀ ନଦୀର ଚତୁର୍ଥ ବନ୍ୟା ଯୋଗୁଁ ସ୍ଥିତି ସଙ୍ଗୀନ ହୋଇପଡ଼ିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷ ଭାବେ ବନ୍ୟା ଅଞ୍ଚଳ ଗସ୍ତ କରି ସ୍ଥିତି ପରଖିଛନ୍ତି। ଦଶରଥପୁର ବ୍ଲକର ପତିରି ଘାଟରୁ ଏକ ସ୍ୱତନ୍ତ୍ର ବୋଟ୍ ଯୋଗେ ମୁଖ୍ୟମନ୍ତ୍ରୀ କସପା ଓ ତରପଦା ପଞ୍ଚାୟତର ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ବନ୍ୟା ବିପନ୍ନଙ୍କ ଦୁଃଖଦୁର୍ଦ୍ଦଶା ଶୁଣିଛନ୍ତି। ବନ୍ୟା ପୀଡ଼ିତଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବା ସହ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ସେ ଉପସ୍ଥିତ ପ୍ରଶାସନିକ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ, ଅବକାରୀ ଆୟୁକ୍ତ ପି. ଅନ୍ୱେଷା ରେଡ୍ଡି, ଯାଜପୁର ଜିଲ୍ଲାପାଳ ଅମ୍ବର କର, ଏସପି ୟଶ ପ୍ରତାପ ଶ୍ରୀମଲ, ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ଯାଜପୁର ବିଧାୟିକା ସୁଜାତା ସାହୁ ଏବଂ ଜିଲ୍ଲା ପରିଷଦ ସଦସ୍ୟା ମାମିନା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ପତିରି ଘାଟରେ ସ୍ଥାନୀୟ ଲୋକଙ୍କ ଭିଡ଼କୁ ଆଖିଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।
ନଦୀର ବନ୍ୟାଜଳ ଯୋଗୁଁ ଦଶରଥପୁର ବ୍ଲକର ଜୟନ୍ତରା ମହାପାତ୍ରସାହି ଘେରିବନ୍ଧରେ ୧୨୦ ଫୁଟର ଘାଇ ସୃଷ୍ଟି ହୋଇଥିବା ବେଳେ କାଣୀ ନଦୀର ଡୋଭାବିଲ ଓ ପାଟଣା ନିକଟରେ ମଧ୍ୟ ବନ୍ଧ ଧସିଯାଇଛି। ଏହାଯୋଗୁଁ ବ୍ଲକର ୧୯ଟି ପଞ୍ଚାୟତର ୫୯ଟି ରାଜସ୍ୱ ଗାଁ ପାଣିଘେରରେ ରହିଛି। ମୋଟ ୯୦ ହଜାରରୁ ଉପରେ ଲୋକ ପ୍ରଭାବିତ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ୩୮ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ଆଶ୍ରୟସ୍ଥଳୀରେ ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଛି।
ଅପରପକ୍ଷରେ ସମଗ୍ର ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ, ଜଳକା ଓ ସାଳନ୍ଦୀ ନଦୀର ଜଳସ୍ତର ଉପରେ କଡ଼ା ନଜର ରଖାଯାଇଛି। ରାଜ୍ୟର ୪୫ଟି ସ୍ଥାନରେ ୫୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ବାଲେଶ୍ୱରର ଭୋଗରାଇଠାରେ ସର୍ବାଧିକ ୨୧୭ ମିଲିମିଟର ବର୍ଷା ହୋଇଛି। ଭଦ୍ରକର ରାଜଘାଟ ନିକଟରେ ସାଳନ୍ଦୀ ନଦୀର ଜଳସ୍ତର ବିପଦ ସଙ୍କେତ ୧୭ ଫୁଟ ଟପି ୧୭.୫ ଫୁଟରେ ପ୍ରବାହିତ ହେଉଥିବା ନେଇ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସୂଚନା ଦେଇଛନ୍ତି।






