ସୁନ୍ଦରଗଡ଼ ଲାଇଭ୍: ସମ୍ପର୍କର ନିବିଡ଼ତା ଆଗରେ ହାର୍ ମାନିଛି ଜେଲ୍ର ସୀମା ଓ ଚାରି କାନ୍ଥ। ପବିତ୍ର ରକ୍ଷାବନ୍ଧନ ଅବସରରେ ସୁନ୍ଦରଗଡ଼ ଜିଲ୍ଲା କାରାଗାରରେ ଭାଇ-ଭଉଣୀଙ୍କ ଅନାବିଳ ଭଲପାଇବାର ଏକ ଅତ୍ୟନ୍ତ ଭାବପୂର୍ଣ୍ଣ ଚିତ୍ର ଦେଖିବାକୁ ମିଳିଛି। ବିଭିନ୍ନ ଅପରାଧରେ ସଜା କାଟୁଥିବା ଜେଲ୍ ଅନ୍ତେବାସୀ ଭାଇମାନଙ୍କ ହାତରେ ସ୍ନେହ ଓ ସୁରକ୍ଷାର ଡୋରି ବାନ୍ଧିଛନ୍ତି ସେମାନଙ୍କ ଭଉଣୀ।
ଜେଲ୍ ଭିତରେ ଭାଇ ହାତରେ ରାକ୍ଷୀ ବାନ୍ଧିବା ସମୟରେ ଭାଇ-ଭଉଣୀ ଦୁହିଁଙ୍କ ଆଖିରୁ ଲୁହ ବୋହିଯାଇଥିଲା, ଯାହା ସେଠାରେ ଏକ ଅତ୍ୟନ୍ତ ଭାବବିହ୍ୱଳ ପରିବେଶ ସୃଷ୍ଟି କରିଥିଲା। ଭାଇ ଯେତେ ବଡ଼ ଅପରାଧୀ ହୋଇଥିଲେ ସୁଦ୍ଧା ଭଉଣୀ ପାଇଁ ତାର ସ୍ଥାନ ସବୁବେଳେ ସ୍ୱତନ୍ତ୍ର, ତାହା ଆଜି ପୁଣି ପ୍ରମାଣିତ ହୋଇଛି। ଭାଇକୁ ଟିକିଏ ଦେଖିବା ଏବଂ ତା’ ହାତରେ ରାକ୍ଷୀ ବାନ୍ଧିବା ପାଇଁ ଭଉଣୀମାନଙ୍କ ମଧ୍ୟରେ ପ୍ରଚଣ୍ଡ ବ୍ୟାକୁଳତା ଦେଖିବାକୁ ମିଳିଥିଲା।
ଏହି ସ୍ୱତନ୍ତ୍ର ପର୍ବ ପାଇଁ ସୁନ୍ଦରଗଡ଼ ଜେଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୁରକ୍ଷିତ ଏବଂ ସୁଶୃଙ୍ଖଳିତ ଭାବେ ରାକ୍ଷୀ ବାନ୍ଧିବାର ବିଶେଷ ବ୍ୟବସ୍ଥା କରାଯାଇଥିଲା।






