ସୁନ୍ଦରଗଡ଼ ଲାଇଭ୍: କଟକସ୍ଥିତ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲଠାରେ ଆୟୋଜିତ ଗୁରୁ ଦିବସ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଛାତ୍ରଛାତ୍ରୀଙ୍କ ସହ ସୀଧାସଳଖ ବାର୍ତ୍ତାଳାପ କରିବା ସହ ରାଜ୍ୟର ଶିକ୍ଷା ବ୍ୟବସ୍ଥା ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଆଗାମୀ ୩ ବର୍ଷ ମଧ୍ୟରେ ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ କରାଯିବ ବୋଲି ସେ ପ୍ରତିଶ୍ରୁତିବଦ୍ଧତା ଦୋହରାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାରତର ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ନିଷ୍ଠାପର ସେବା ପାଇଁ ଅନେକ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।
ସମାରୋହରେ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସୋସିଆଲ ମିଡିଆରେ ଅଧିକ ସମୟ ନଷ୍ଟ ନକରି ଏକମନ ଓ ଏକପ୍ରାଣ ହୋଇ ନିଜ କ୍ୟାରିୟର ଗଠନରେ ଫୋକସ୍ କରିବା ଆବଶ୍ୟକ। ଶିକ୍ଷା କେବଳ ଜ୍ଞାନ ପ୍ରଦାନ ନୁହେଁ, ଏହା ମଣିଷ ଗଢ଼ିବାର ଏକ ମହାନ ପ୍ରକ୍ରିୟା। ଆଜିର ଯୁଗରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସମ୍ପର୍କ ଅଧିକ ବନ୍ଧୁତ୍ୱପୂର୍ଣ୍ଣ ହେବା ଜରୁରୀ। ପ୍ରଭୁ ଶ୍ରୀରାମ, ଶ୍ରୀକୃଷ୍ଣ, ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, ସ୍ୱାମୀ ବିବେକାନନ୍ଦଙ୍କଠାରୁ ଆରମ୍ଭ କରି ‘ମିଜାଇଲ ମ୍ୟାନ୍’ ଡଃ ଏ.ପି.ଜେ. ଅବ୍ଦୁଲ କାଲାମଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଜୀବନ ଗଠନରେ ଗୁରୁଙ୍କ ଭୂମିକା ଅତୁଳନୀୟ ଥିଲା ବୋଲି ସେ ପ୍ରକାଶ କରିଛନ୍ତି।
ରାଜ୍ୟର ଶିକ୍ଷା କ୍ଷେତ୍ରରେ ବ୍ୟାପକ ସୁଧାର ଆଣିବାକୁ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ‘କେଜି ରୁ ପିଜି’ ଅର୍ଥାତ୍ ଶିଶୁ ବାଟିକାରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ନିଃଶୁଳ୍କ ଶିକ୍ଷା ବ୍ୟବସ୍ଥା ଲାଗୁ କରିଛି। ଏହାଛଡ଼ା ୧୨,୦୦୦ କୋଟି ଟଙ୍କା ବ୍ୟୟରେ ୨,୨୦୦ଟି ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ନିର୍ମାଣ, ୪୫,୦୦୦ ଶିଶୁ ବାଟିକା ସ୍ଥାପନ, ନବମ ଓ ଦଶମ ଶ୍ରେଣୀ ପାଇଁ ମଧ୍ୟାହ୍ନ ଭୋଜନ ଏବଂ ଆଦିବାସୀ ପିଲାଙ୍କ ପାଇଁ ‘ଶହିଦ୍ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା’ କାର୍ଯ୍ୟକାରୀ ହେଉଛି। ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ ପାଇଁ ‘ପଞ୍ଚସଖା ଶିକ୍ଷା ସେତୁ’ ମାଧ୍ୟମରେ ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଡ଼ାଯାଉଥିବା ବେଳେ ଏକ ସମୃଦ୍ଧ ଓ ଆତ୍ମନିର୍ଭର ଓଡ଼ିଶା ଗଢ଼ିତୋଳିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ ଆହ୍ୱାନ କରିଛନ୍ତି।






