ସୁନ୍ଦରଗଡ଼ ଲାଇଭ୍: ପାରମ୍ପରିକ ଶିଳ୍ପୀ ଓ କାରିଗରମାନଙ୍କର ଆର୍ଥିକ ଉନ୍ନତି, ଦକ୍ଷତା ବୃଦ୍ଧି ଏବଂ ସାମାଜିକ ସୁରକ୍ଷା ପାଇଁ ୨୦୨୩ରେ ଆରମ୍ଭ ହୋଇଥିବା ‘ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା’ ଏବେ ବାସ୍ତବ କ୍ଷେତ୍ରରେ ଫ୍ଲପ୍ ସାବ୍ୟସ୍ତ ହେବାକୁ ବସିଛି। ବିଶେଷକରି ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ଏହି ଯୋଜନାର ସୁଫଳ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରୁ ନାହିଁ। ବଢ଼େଇ, କମାର, କୁମ୍ଭାର, ଦରଜି ଓ ସ୍ୱର୍ଣ୍ଣକାରଙ୍କ ଭଳି କୌଳିକ ବୃତ୍ତିଧାରୀମାନେ ଯୋଗ୍ୟ ହୋଇ ମଧ୍ୟ ସରକାରୀ ସହାୟତାରୁ ବଞ୍ଚିତ ହେଉଥିବା ଅଭିଯୋଗ ଉଠିଛି।
ଗତ ମାର୍ଚ୍ଚ ସୁଦ୍ଧା ମିଳିଥିବା ସରକାରୀ ତଥ୍ୟ ଅନୁସାରେ ସୁନ୍ଦରଗଡ଼, ବଲାଙ୍ଗୀର, ବରଗଡ଼, ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ସମ୍ବଲପୁର ଓ ସୋନପୁର ଜିଲ୍ଲାରୁ ମୋଟ ୧,୨୯,୨୫୧ ଜଣ ଆବେଦନ କରିଥିଲେ ମଧ୍ୟ ସେଥିମଧ୍ୟରୁ କେବଳ ୨୨,୦୧୬ ଜଣ ଅର୍ଥାତ ମାତ୍ର ୧୭ ପ୍ରତିଶତ କାରିଗରଙ୍କ ପଞ୍ଜୀକରଣ ସମ୍ଭବ ହୋଇପାରିଛି। ସେହିପରି କେବଳ ସୁନ୍ଦରଗଡ଼ ଜିଲ୍ଲାରେ ୨୯,୦୮୮ ଜଣ ଆବେଦନ କରିଥିବା ବେଳେ ମାତ୍ର ୩,୧୦୪ ଜଣଙ୍କର ଆବେଦନ ଗ୍ରହଣ କରାଯାଇଛି।
ନିଜର ପ୍ରାଚୀନ ବୃତ୍ତିକୁ ଆଗକୁ ନେବା ପାଇଁ ଅନଲାଇନ୍ ଆବେଦନ କରି ସୁଦ୍ଧା ବାରମ୍ବାର ବୈଷୟିକ ତ୍ରୁଟି ଏବଂ ପ୍ରଶାସନିକ ଶିଥିଳତା ଯୋଗୁଁ ଯାଞ୍ଚ ପ୍ରକ୍ରିୟା ମଝିରେ ଅଟକି ରହିଛି। ଫଳରେ ସଫଳ ପଞ୍ଜୀକରଣ ହୋଇନପାରିବାରୁ କାରିଗରମାନେ ହିତାଧିକାରୀ ପ୍ରମାଣପତ୍ର, ଆଧୁନିକ ଟୁଲକିଟ୍ ସହାୟତା, ଉନ୍ନତମାନର ବୈଷୟିକ ତାଲିମ ଏବଂ ସ୍ୱଳ୍ପ ସୁଧରେ ବ୍ୟବସାୟିକ ଋଣ ଭଳି ଗୁରୁତ୍ୱପୂର୍ଣ୍ଣ ସୁବିଧାରୁ ବଞ୍ଚିତ ହେଉଛନ୍ତି। ତେଣୁ ସ୍ଥାନୀୟ ପାରମ୍ପରିକ କଳା ଓ ଜୀବିକାକୁ ଲୋପ ପାଇବାରୁ ରକ୍ଷା କରିବା ପାଇଁ ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ବୈଷୟିକ ସମସ୍ୟାର ସମାଧାନ କରି ଯୋଗ୍ୟ ହିତାଧିକାରୀଙ୍କ ପଞ୍ଜୀକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଦାବି ହେଉଛି।






