ସୁନ୍ଦରଗଡ଼ ଲାଇଭ୍: ରାଜ୍ୟର ପ୍ରଥମ ଶ୍ରେଣୀ ସାହିତ୍ୟ ବହି ‘ଝୁଲଣା-୧’ରେ ଦେଖାଦେଇଛି ଗୁରୁତର ତ୍ରୁଟି, ଯାହାକୁ ନେଇ ଏବେ ଅବିଭାବକ ଓ ଶିକ୍ଷାବିତ୍ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବହିରେ ସାଧାରଣ ନିୟମ ଅନୁସାରେ ‘ଅ’ରୁ ବର୍ଣ୍ଣମାଳା ଆରମ୍ଭ ହେବା ବଦଳରେ ସେଥିରେ ପ୍ରଥମ ଅକ୍ଷର ‘ଚ’ ରହିଛି। ଏହାପରେ କ୍ରମାନ୍ୱୟରେ ଟ, ମ, ଗ, ର, ଅ, ଆ, ଝ ଏବଂ କ ଭଳି ଅକ୍ଷରଗୁଡ଼ିକ ବିନା କୌଣସି ନିର୍ଦ୍ଦିଷ୍ଟ କ୍ରମରେ ସ୍ଥାନ ପାଇଛି। କେବଳ ସେତିକି ନୁହେଁ, ବହିର ସୂଚୀପତ୍ର ପୂର୍ବରୁ ଥିବା ‘ବନ୍ଦେ ଉତ୍କଳ ଜନନୀ’ ଏବଂ ‘ଜାତୀୟ ସଙ୍ଗୀତ’ରେ ମଧ୍ୟ ଭୁଲ ଛପାଯାଇଛି। ‘ବନ୍ଦେ ଉତ୍କଳ ଜନନୀ’ ଗୀତରେ ‘ଘନ ଘନ ବନଭୂମି’ ବଦଳରେ ‘ଘନ ବନଭୂମି’ ଲେଖାଯାଇଥିବା ବେଳେ ଜାତୀୟ ସଙ୍ଗୀତରେ ‘ଉତ୍କଳ’ ବନାନ ଭୁଲ ରହିଥିବା ଦେଖିବାକୁ ମିଳିଛି।
ଏହି ଘଟଣାକୁ ନେଇ ଏବେ ରାଜ୍ୟ ରାଜନୀତି ମଧ୍ୟ ଉତ୍ତାପ ବୃଦ୍ଧି ପାଇଛି। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସରକାରଙ୍କୁ କଠୋର ସମାଲୋଚନା କରି କହିଛନ୍ତି ଯେ, ସରକାର ଚାହୁଁଛନ୍ତି ଭବିଷ୍ୟତ ପିଢ଼ି ମୂର୍ଖ ହୁଅନ୍ତୁ ଏବଂ ସେଥିପାଇଁ ବାରମ୍ବାର ସଜାଗ ନହୋଇ ଏଭଳି ଭୁଲ କରାଯାଉଛି। ଅନ୍ୟପଟେ ବିଜେପି ବିଧାୟକ ସନ୍ତୋଷ ଖଟୁଆ ଏହାର ଜବାବ ଦେଇ କହିଛନ୍ତି ଯେ ସରକାର ବହିରେ ତ୍ରୁଟି ହୋଇଥିବା ସ୍ୱୀକାର କରିଛନ୍ତି ଓ ଆବଶ୍ୟକ ପଦକ୍ଷେପ ମଧ୍ୟ ଗ୍ରହଣ କରୁଛନ୍ତି। ଶିକ୍ଷା ବ୍ୟବସ୍ଥାରେ ନୂଆ ରିଫର୍ମ ବା ସଂସ୍କାର ଆଣିଲା ବେଳେ ଏଭଳି କିଛି ତ୍ରୁଟି ସାମ୍ନାକୁ ଆସିଥାଏ, ମାତ୍ର ବିଗତ ସରକାର କେବେ ହେଲେ ସଂସ୍କାର ଚାହୁଁନଥିଲେ ବୋଲି ସେ ପଲଟା ଆକ୍ରମଣ କରିଛନ୍ତି।






