ସୁନ୍ଦରଗଡ଼ ଲାଇଭ୍: ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଖାଲି ପଡ଼ିଥିବା ସିଟ୍ ପୂରଣ ପାଇଁ ପ୍ରଥମ ପର୍ଯ୍ୟାୟ ସ୍ପଟ୍ ଆଡମିଶନ୍ ମେଧା ତାଲିକା ପ୍ରକାଶ ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସାମ୍ସ (SAMS) ପୋର୍ଟାଲ୍ ମାଧ୍ୟମରେ ପ୍ରକାଶିତ ଏହି ତାଲିକାରେ ମୋଟ ୨୫ ହଜାର ୩୩୨ ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପୂର୍ବରୁ ଅନୁଷ୍ଠିତ ଇ-ଆଡମିଶନ୍ ସମୟରେ ନାମ ଲେଖାଇବାରୁ ବଞ୍ଚିତ ହୋଇଥିବା କିମ୍ବା ନିଜ ପସନ୍ଦର କଲେଜରେ ସିଟ୍ ପାଇନଥିବା ଆଶାୟୀଙ୍କ ପାଇଁ ଏହି ସ୍ପଟ୍ ରାଉଣ୍ଡ ଏକ ବଡ଼ ସୁଯୋଗ ଆଣିଦେଇଛି।
ମନୋନୀତ ଛାତ୍ରଛାତ୍ରୀମାନେ ସାମ୍ସ ୱେବସାଇଟ୍ରେ ଲଗ୍ଇନ୍ କରି ନିଜର ଇଣ୍ଟିମେସନ୍ ଲେଟର୍ ଡାଉନଲୋଡ୍ କରିପାରିବେ। ନାମଲେଖା ସମୟରେ ମୂଳ ଶିକ୍ଷାଗତ ପ୍ରମାଣପତ୍ର, ମାର୍କସିଟ୍, ସ୍କୁଲ୍ ଲିଭିଂ ସାର୍ଟିଫିକେଟ୍, ଫଟୋ ଏବଂ ନିର୍ଦ୍ଧାରିତ ଫି’ ସହ ସମ୍ପୃକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ସମସ୍ତ କାଗଜପତ୍ର କଡ଼ାକଡ଼ି ଭାବେ ଯାଞ୍ଚ କରିବା ପରେ ହିଁ ନାମଲେଖା ସମ୍ପୂର୍ଣ୍ଣ କରିବେ, ତଥ୍ୟରେ କୌଣସି ତ୍ରୁଟି ଥିଲେ ଆଡମିଶନ୍ ବାତିଲ୍ କରାଯିବ।
ଶେଷ ତାରିଖକୁ ଅପେକ୍ଷା ନକରି ତୁରନ୍ତ ନାମଲେଖା ପ୍ରକ୍ରିୟା ସାରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହି ପର୍ଯ୍ୟାୟ ସରିବା ପରେ ଯଦି କଳା, ବିଜ୍ଞାନ, ବାଣିଜ୍ୟ କିମ୍ବା ଧନ୍ଦାମୂଳକ ବିଭାଗରେ ସିଟ୍ ଖାଲି ରହେ, ତେବେ ପରବର୍ତ୍ତୀ ରାଉଣ୍ଡ ପାଇଁ ନୂଆ ବିଜ୍ଞପ୍ତି ପ୍ରକାଶ ପାଇବ।






