ସୁନ୍ଦରଗଡ଼ ଲାଇଭ୍: ଭାରତର ଅଧ୍ୟକ୍ଷତାରେ ଭୁବନେଶ୍ୱରଠାରେ ୧୩ତମ ‘ବ୍ରିକ୍ସ’ (BRICS) ଶିକ୍ଷାମନ୍ତ୍ରୀ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନ ଗୁରୁବାର ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ଶିକ୍ଷାମନ୍ତ୍ରୀ ଏବଂ ପ୍ରତିନିଧିମାନେ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ପରସ୍ପର ମଧ୍ୟରେ ସହଯୋଗ, ନବସୃଜନ ଏବଂ ସ୍ଥାୟୀ ବିକାଶ ନେଇ ଗହନ ଆଲୋଚନା କରିଥିଲେ।
ଚଳିତ ବର୍ଷ “Building for Resilience, Innovation, Cooperation and Sustainability” (ସହନଶୀଳତା, ନବସୃଜନ, ସହଯୋଗ ଓ ସ୍ଥାୟୀ ବିକାଶ) ବିଷୟବସ୍ତୁକୁ ଆଧାର କରି ଏକ ସାମୂହିକ ଦୃଷ୍ଟିକୋଣ ଗଠନ ଉପରେ ସମସ୍ତ ଦେଶ ଗୁରୁତ୍ୱାରୋପ କରିଥିଲେ। ବିଶେଷକରି ଶିକ୍ଷା କ୍ଷେତ୍ରରେ ନବପ୍ରବର୍ତ୍ତନ, ଯୁବବର୍ଗଙ୍କ ଦକ୍ଷତା ବିକାଶ, ଗବେଷଣା ଏବଂ ଆନ୍ତର୍ଜାତିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ନିମନ୍ତେ ପ୍ରତିନିଧିମାନଙ୍କ ମଧ୍ୟରେ ମତ ବିନିମୟ ହୋଇଥିଲା।
ଉଲ୍ଲେଖଯୋଗ୍ୟ ଯେ, ଭାରତ ଚତୁର୍ଥ ଥର ପାଇଁ ବ୍ରିକ୍ସର ଅଧ୍ୟକ୍ଷତା କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପୂର୍ବରୁ ତିନିଥର ଏହି ଦାୟିତ୍ୱ ସଫଳତାର ସହ ପାଳନ କରାଯାଇଛି। ଏହି ସମ୍ମିଳନୀରେ ବ୍ରାଜିଲ, ରୁଷ, ଭାରତ, ଚୀନ, ଦକ୍ଷିଣ ଆଫ୍ରିକା ସମେତ ଇଣ୍ଡୋନେସିଆ, ଇରାନ, ଇଥିଓପିଆ ଓ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପ୍ରତିନିଧିମାନେ ପ୍ରମୁଖ ଭାବେ ଅଂଶଗ୍ରହଣ କରିଛନ୍ତି।






