ସୁନ୍ଦରଗଡ଼ ଲାଇଭ୍: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ‘ନୂଆଁଖାଇ’ ପାଇଁ ବଲାଙ୍ଗୀର ଜିଲ୍ଲାର ଶୁଭ ଲଗ୍ନ ଧାର୍ଯ୍ୟ ହୋଇଛି। ଆସନ୍ତା ସେପ୍ଟେମ୍ବର ୧୫ ତାରିଖ (ଭାଦ୍ରବ ଶୁକ୍ଳ ପଞ୍ଚମୀ, ମଙ୍ଗଳବାର) ସକାଳ ୯ଟା ୩୬ ମିନିଟରୁ ୧୦ଟା ୧୦ ମିନିଟ୍ ମଧ୍ୟରେ ମା’ ପାଟଣେଶ୍ୱରୀ ଓ ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବ। ଏହି ଶୁଭ ‘ଅମୃତ ବେଳା’ ମଧ୍ୟରେ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଅର୍ପଣ ପରେ ସମଗ୍ର ବଲାଙ୍ଗୀର ଜିଲ୍ଲାବାସୀ ନୂଆ ଖାଇବେ।
ବଲାଙ୍ଗୀର ପାଟଣା ମହାରାଜାଙ୍କ ଶୈଳଶ୍ରୀ ପ୍ୟାଲେସ୍ରେ ଜ୍ୟୋତିର୍ବିଦ୍ ଓ ପଣ୍ଡିତ ମହାସଭାର ସଦସ୍ୟଙ୍କ ଗହଣରେ ଏହି ଲଗ୍ନ ସ୍ଥିର କରାଯାଇଥିବା ନେଇ ରାଜ ପୁରୋହିତ ସନ୍ତୋଷ କୁମାର ଦାସ ସୂଚନା ଦେଇଛନ୍ତି।
ନୂଆଁଖାଇ କେବଳ ଏକ ପରମ୍ପରା ନୁହେଁ, ବରଂ ଏହା ସାମାଜିକ ଏକତା ଓ ସଦ୍ଭାବନାର ପ୍ରତୀକ। ଏହି ଦିନ ଘରର ଇଷ୍ଟଦେବୀଙ୍କୁ ନବାନ୍ନ ଚଢ଼ାଯିବା ପରେ ପରିବାରର ମୁଖ୍ୟ ସମସ୍ତଙ୍କୁ ଭୋଗ ବାଣ୍ଟିଥାନ୍ତି। ସାନମାନେ ବଡ଼ମାନଙ୍କୁ ପ୍ରଣାମ କରି ଆଶୀର୍ବାଦ ନେବା ସହ ‘ନୂଆଁଖାଇ ଜୁହାର’ ଜରିଆରେ ପରସ୍ପର ମଧ୍ୟରେ ଥିବା ପୂର୍ବ ମନୋମାଳିନ୍ୟ ଓ ଭେଦଭାବ ଭୁଲି ପୁଣି ଏକଜୁଟ ହୋଇଥାନ୍ତି।






