ସୁନ୍ଦରଗଡ଼ ଲାଇଭ୍: ‘ସୁଭଦ୍ରା’ ଯୋଜନାର ହିତାଧିକାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଆସନ୍ତା ରାକ୍ଷୀ ପୂର୍ଣ୍ଣିମାର ପବିତ୍ର ଅବସରରେ ଯୋଗ୍ୟ ମହିଳାମାନଙ୍କ ବ୍ୟାଙ୍କ ଖାତାକୁ ‘ସୁଭଦ୍ରା’ ଯୋଜନାର ପରବର୍ତ୍ତୀ କିସ୍ତି ଟଙ୍କା ପଠାଯିବ। ଏଥିସହିତ ଜୁଲାଇ ୨୫ ସୁଦ୍ଧା ଜିଲ୍ଲା ସ୍ତରରୁ ଚୂଡ଼ାନ୍ତ ଅନୁମୋଦନ ପାଇଥିବା ନୂତନ ଆବେଦନକାରୀମାନେ ମଧ୍ୟ ଏହି ପର୍ଯ୍ୟାୟରେ ଆର୍ଥିକ ସହାୟତା ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।
ଉପମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ଜୁଲାଇ ୨୫ ସୁଦ୍ଧା ଜିଲ୍ଲା ସ୍ତରରୁ ଯେଉଁ ନାମଗୁଡ଼ିକ ଅନୁମୋଦିତ ହୋଇ ସରକାରଙ୍କ ନିକଟକୁ ଆସିଥିବ, ସେହି ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ରାକ୍ଷୀ ପୂର୍ଣ୍ଣିମା ଦିନ ସିଧାସଳଖ ଟଙ୍କା ହସ୍ତାନ୍ତର (DBT) କରାଯିବ। ଏହାଦ୍ୱାରା ବହୁ ଦିନରୁ ଅପେକ୍ଷା କରିଥିବା ଲକ୍ଷ ଲକ୍ଷ ମହିଳା ଉପକୃତ ହେବେ।
ରାଜ୍ୟ ସରକାରଙ୍କ ଏହି ଯୁଗାନ୍ତକାରୀ ଯୋଜନା ଜରିଆରେ ଯୋଗ୍ୟ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ଓ ଆର୍ଥିକ ସଶକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରତିବର୍ଷ ଦୁଇଟି କିସ୍ତିରେ ମୋଟ ୧୦,୦୦୦ ଟଙ୍କା (ପ୍ରତ୍ୟେକ କିସ୍ତିରେ ୫,୦୦୦ ଟଙ୍କା) ପ୍ରଦାନ କରାଯାଉଛି। ନିୟମାନୁସାରେ, ପ୍ରଥମ କିସ୍ତି ରକ୍ଷାବନ୍ଧନ ଦିବସରେ ଏବଂ ଦ୍ୱିତୀୟ କିସ୍ତି ଆନ୍ତର୍ଜାତୀୟ ମହିଳା ଦିବସରେ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥାଏ।






