ସୁନ୍ଦରଗଡ଼ ଲାଇଭ୍: ଆଧୁନିକ ଶ୍ରେଣୀଗୃହ, ସ୍ମାର୍ଟ କ୍ଲାସରୁମ୍, କମ୍ପ୍ୟୁଟର ଓ ଖେଳ ପଡ଼ିଆ, ୫-ଟି ରୂପାନ୍ତରଣରେ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ସଜାଡ଼ିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି, ମାତ୍ର ପିଲାଙ୍କୁ ପଢ଼ାଇବା ପାଇଁ ଶିକ୍ଷକ ନାହାନ୍ତି। ଶିକ୍ଷକଙ୍କ ଘୋର ଅଭାବ ଯୋଗୁଁ ରାଜ୍ୟର ଅନେକ ନୂତନ ଅନୁଦାନପ୍ରାପ୍ତ ହାଇସ୍କୁଲରେ ଶିକ୍ଷାଦାନ ଏକପ୍ରକାର ଠପ୍ ହୋଇଯାଇଛି। କେଉଁଠି ଜଣେ ତ ଆଉ କେଉଁଠି ଦୁଇ ଜଣ ଶିକ୍ଷକଙ୍କ ହାତରେ ଶହ ଶହ ପିଲାଙ୍କ ଭବିଷ୍ୟତ ଟଙ୍ଗା ହୋଇଛି। ତୁରନ୍ତ ନୂଆ ଶିକ୍ଷକ ନିଯୁକ୍ତି ନହେଲେ ଆଗାମୀ ଦିନରେ ଏହି ସ୍କୁଲଗୁଡ଼ିକ ବନ୍ଦ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି।
କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ପନ୍ଦାଡୋ ପଞ୍ଚାୟତ ହାଇସ୍କୁଲର ଚିତ୍ର ଏହାର ଏକ ବଡ଼ ଉଦାହରଣ। ଯେଉଁ ସ୍କୁଲରେ ଦିନେ ୧୨ ଜଣ ଶିକ୍ଷକ ଓ କର୍ମଚାରୀ ଥିଲେ, ଏବେ ସେଠାରେ ମାତ୍ର ଜଣେ ହିନ୍ଦୀ ଶିକ୍ଷକଙ୍କୁ ନେଇ ବିଦ୍ୟାଳୟ ଚାଲିଛି। ୩ଟି ଶ୍ରେଣୀରେ ୫୭ରୁ ଅଧିକ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ଶିକ୍ଷାବର୍ଷର ୪ ମାସ ବିତିଯାଇଥିଲେ ବି ବିଜ୍ଞାନ, ଗଣିତ ଓ ଇଂରାଜୀ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ପାଠପଢ଼ା ଆରମ୍ଭ ହୋଇପାରିନାହିଁ। ସେହିପରି ନିଶାକର ହାଇସ୍କୁଲରେ ମାତ୍ର ଦୁଇ ଜଣ ଶିକ୍ଷକ ୯୫ ଜଣ ଛାତ୍ରଛାତ୍ରୀଙ୍କୁ ପଢ଼ାଉଛନ୍ତି। ହାଟଡିହି ବ୍ଲକର ପ୍ରାୟ ୨୦ଟି ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ଏଭଳି ସଙ୍କଟଜନକ ସ୍ଥିତି ଉପୁଜିଛି।
ଗତ କିଛି ବର୍ଷ ଧରି ଅତିଥି ଶିକ୍ଷକଙ୍କ ଜରିଆରେ ଏହି ସ୍କୁଲଗୁଡ଼ିକରେ କୌଣସି ପ୍ରକାରେ ପାଠପଢ଼ା ଚାଲିଥିଲା। ମାତ୍ର ଚଳିତ ଶିକ୍ଷାବର୍ଷରୁ ସେହି ବ୍ୟବସ୍ଥା ମଧ୍ୟ ବନ୍ଦ ହୋଇଯାଇଥିବାରୁ ସମସ୍ୟା ଆହୁରି ଗମ୍ଭୀର ରୂପ ନେଇଛି। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଆଧୁନିକ ଭିତ୍ତିଭୂମି ତୋଳାଯାଇଥିଲେ ବି ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀମାନେ ଏହାର କୌଣସି ସୁଫଳ ପାଇପାରୁନାହାନ୍ତି।
ସ୍କୁଲଗୁଡ଼ିକର ଚକାଚକ୍ ଚେହେରା ଦେଖି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି— “ସ୍କୁଲ ତ ତିଆରି ହୋଇଗଲା, ହେଲେ ଆମ ପିଲାଙ୍କୁ ପଢ଼ାଇବେ କିଏ?” ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ତୁରନ୍ତ ଶିକ୍ଷକ ଅଭାବ ଦୂର କରିବା ସହ ନୂତନ ନିଯୁକ୍ତି ଦେବାକୁ ଅଭିଭାବକ ଓ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏହି ସ୍କୁଲଗୁଡ଼ିକର ସ୍ଥାୟିତ୍ୱ ଓ ହଜାର ହଜାର ଛାତ୍ରଛାତ୍ରୀଙ୍କ ପାଠପଢ଼ା ଏବେ ସରକାରଙ୍କ ଆଗାମୀ ପଦକ୍ଷେପ ଉପରେ ନିର୍ଭର କରୁଛି।






