ସୁନ୍ଦରଗଡ଼ ଲାଇଭ୍: ରାଜ୍ୟରେ ଶାସନ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ନିରପେକ୍ଷ ଓ ଜବାବଦେହୀ କରିବା ପାଇଁ ଖୁବଶୀଘ୍ର ଲୋକାୟୁକ୍ତ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି। ଏହି ଉଚ୍ଚସ୍ତରୀୟ ବୈଠକରେ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଦୁର୍ନୀତି ବିରୋଧୀ ଲଢ଼େଇକୁ ଜୋରଦାର କରିବା ସହ ବିଭିନ୍ନ ଅଭିଯୋଗର ସଠିକ୍ ତଦନ୍ତ ପାଇଁ ଲୋକାୟୁକ୍ତ ବ୍ୟବସ୍ଥାକୁ ସକ୍ରିୟ କରିବାକୁ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ସରକାରୀ ଓ ବିରୋଧୀ ପକ୍ଷର ସର୍ବସମ୍ମତି କ୍ରମେ ଏହି ପ୍ରକ୍ରିୟା ଆଗକୁ ବଢ଼ୁଥିବାରୁ ଏହାକୁ ଶାସନ କ୍ଷେତ୍ରରେ ଏକ ସକାରାତ୍ମକ ପଦକ୍ଷେପ ଭାବେ ବିଚାର କରାଯାଉଛି। ବୈଠକ ପରେ ଏବେ ଲୋକାୟୁକ୍ତର ଔପଚାରିକ ଗଠନ ଏବଂ ଏହାର ପୂର୍ଣ୍ଣ କାର୍ଯ୍ୟକ୍ଷମତାକୁ ନେଇ ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି।






