ସୁନ୍ଦରଗଡ଼ ଲାଇଭ୍: ମାଗଣା ଓ ଲୋକପ୍ରିୟ ଯୋଜନାରେ ଅତ୍ୟଧିକ ସରକାରୀ ଖର୍ଚ୍ଚ ରାଜ୍ୟଗୁଡ଼ିକର ଦୀର୍ଘକାଳୀନ ବିକାଶକୁ ବାଧାପ୍ରାପ୍ତ କରିପାରେ ବୋଲି ଷୋଡ଼ଶ ଅର୍ଥ କମିସନ ସତର୍କ କରାଇଛନ୍ତି। ନିଜର ଆୟ ଓ ଆର୍ଥିକ ସାମର୍ଥ୍ୟକୁ ବିଚାର ନକରି ଏହିପରି ଯୋଜନାରେ ଅଧିକ ଅର୍ଥ ବ୍ୟୟ କଲେ ଭବିଷ୍ୟତରେ ମୌଳିକ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ଅର୍ଥ ଅଭାବ ଦେଖାଦେବ। ଓଡ଼ିଶାରେ ‘ସୁଭଦ୍ରା ଯୋଜନା’ ଏବଂ କୃଷି ସହାୟତା ମାଧ୍ୟମରେ ପ୍ରତ୍ୟକ୍ଷ ଆର୍ଥିକ ସହାୟତା ଦିଆଯାଉଥିବା ବେଳେ ଏହାର ଦୀର୍ଘମିଆଦୀ ଆର୍ଥିକ ପ୍ରଭାବକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
ଅର୍ଥନୀତିଜ୍ଞଙ୍କ ମତରେ, ତୁରନ୍ତ ସାମାଜିକ ସୁରକ୍ଷା ଯୋଗାଇବା ଗୁରୁତ୍ୱପୂର୍ଣ୍ଣ ହୋଇପାରେ, କିନ୍ତୁ ଏହି ଖର୍ଚ୍ଚ ରାଜ୍ୟର ସାମର୍ଥ୍ୟ ଅତିକ୍ରମ କଲେ ରାସ୍ତା, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାର ସୃଷ୍ଟି ଭଳି କ୍ଷେତ୍ରରେ ପୁଞ୍ଜିନିବେଶ କମିଯିବ। ସରକାରୀ ଖର୍ଚ୍ଚ ଅନୁପାତରେ ରାଜସ୍ୱ ଆୟ ବୃଦ୍ଧି ନହେଲେ ରାଜ୍ୟକୁ ପୁଣି ଋଣ ଉପରେ ଅଧିକ ନିର୍ଭର କରିବାକୁ ପଡ଼ିବ। ତେଣୁ ଜନକଲ୍ୟାଣକାରୀ ଯୋଜନା ଏବଂ ଦୀର୍ଘମିଆଦୀ ଆର୍ଥିକ ବିକାଶ ମଧ୍ୟରେ ସନ୍ତୁଳନ ରଖିବା ଏବେ ସରକାରଙ୍କ ପାଇଁ ବଡ଼ ଆହ୍ୱାନ।






