ସୁନ୍ଦରଗଡ଼ ଲାଇଭ୍: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୁଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ସମ୍ବେଦନଶୀଳ ମାମଲାରେ ସଂପୃକ୍ତ ୫ ଜଣ ଦୁର୍ବୃତ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଫେରାର ଥିବା ଅନ୍ୟ ଜଣେ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଘଟଣାର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ନାମ ପୁଲିସ ପକ୍ଷରୁ ଗୋପନ ରଖାଯାଇଛି।
ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଯୁବକ ନିଜ ବାନ୍ଧବୀଙ୍କ ସହ କାର୍ରେ କେନ୍ଦ୍ରାପଡ଼ା ଯାଉଥିଲେ। କଟକ-ଚାନ୍ଦବାଲି ରାସ୍ତାର ସୁକରପଡ଼ା ଡାକବଙ୍ଗଳା ନିକଟରେ ଗାଡ଼ି ରଖି ବିଶ୍ରାମ ନେଉଥିବା ବେଳେ କିଛି ଅସାମାଜିକ ଯୁବକ କାଚ ଭାଙ୍ଗି ସେମାନଙ୍କୁ ଆକ୍ରମଣ କରିଥିଲେ। ଯୁବକଙ୍କୁ ମାଡ଼ମାରି ଯୁବତୀଙ୍କୁ ଏକ ପରିତ୍ୟକ୍ତ ଘରକୁ ଟେକି ନେଇ ଦୁଷ୍କର୍ମ କରିବା ପରେ ଅନ୍ୟ ଏକ କାର୍ରେ ନେଇଯିବାକୁ ଚେଷ୍ଟା କରିଥିଲେ। ତେବେ ପୁରୁଷ ବନ୍ଧୁଙ୍କ ପିଛା କରିବା ଏବଂ କଟିକଟା ନିକଟରେ ଯୁବତୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଗାଡ଼ିକୁ ଅଟକାଇ ଜଣେ ଦୁର୍ବୃତ୍ତକୁ କାବୁ କରି ପୁଲିସକୁ ହସ୍ତାନ୍ତର କରିଥିଲେ।
ଏହି ଚାଞ୍ଚଲ୍ୟକର ଘଟଣା ପରେ କଟକ ଗ୍ରାମାଞ୍ଚଳ ଏସ୍ପିଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହେବା ସହ ଡାକ୍ତରୀ ମାଇନା ଶେଷ ହୋଇଛି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଗଠିତ ୪ଟି ବିଶେଷ ପୁଲିସ ଟିମ୍ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛନ୍ତି।








