ସୁନ୍ଦରଗଡ଼ ଲାଇଭ୍: ଓଡ଼ିଶାର ନୂତନ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଚୟନ ପ୍ରକ୍ରିୟା ଉପରେ ସୁପ୍ରିମକୋର୍ଟ ଅନ୍ତରୀଣ ରୋକ୍ ଲଗାଇଛନ୍ତି। ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଏହି ନିଯୁକ୍ତି ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନନେବାକୁ ସର୍ବୋଚ୍ଚ ଅଦାଲତ UPSC ଏବଂ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଡିଜିପି ନାମ ଚୂଡ଼ାନ୍ତ କରିବା ପାଇଁ ଆଜି ଅନୁଷ୍ଠିତ ହେବାକୁ ଥିବା UPSCର ଗୁରୁତ୍ୱପୂର୍ଣ୍ଣ ବୈଠକକୁ ମଧ୍ୟ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।
‘ପ୍ରକାଶ ସିଂ’ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଜାରି ନିର୍ଦ୍ଦେଶନାବଳୀକୁ ଉଲ୍ଲଂଘନ କରି ଡିଜିପି ଚୟନ କରାଯାଉଥିବା ଅଭିଯୋଗରେ ଦାଏର ଜନସ୍ୱାର୍ଥ ମାମଲାର ଶୁଣାଣି କରି କୋର୍ଟ ଏହି ଆଦେଶ ଦେଇଛନ୍ତି। ଭାରତର ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠଙ୍କ ସମ୍ମୁଖରେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍ ପକ୍ଷ ରଖିଥିଲେ। ଅପରପକ୍ଷରେ, ଓଡ଼ିଶାର ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ଏହି ମାମଲାର ଗ୍ରହଣୀୟତା ଉପରେ ପ୍ରଶ୍ନ ଉଠାଇଥିଲେ। ତେବେ ଅମିକସ୍ କ୍ୟୁରି ବରିଷ୍ଠ ଆଇନଜୀବୀ ରାଜୁ ରାମଚନ୍ଦ୍ରନଙ୍କ ମତାମତ ଲୋଡ଼ିବା ପରେ କୋର୍ଟ ପ୍ରକ୍ରିୟାକୁ ରୋକିବାକୁ କହିଛନ୍ତି। ଆସନ୍ତା ୧୮ ତାରିଖ ଶୁଣାଣି ପରେ ହିଁ ଓଡ଼ିଶାକୁ କେବେ ସ୍ଥାୟୀ ଡିଜିପି ମିଳିବେ, ତାହା ସ୍ପଷ୍ଟ ହେବ।






