ସୁନ୍ଦରଗଡ଼ ଲାଇଭ୍: ସରକାରୀ ବାବୁଙ୍କ କମ୍ପାନୀ ପ୍ରୀତି ଏବଂ ପ୍ରଶାସନିକ ଅବହେଳା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ ଗୋପାଳପୁର ପଞ୍ଚାୟତର ନାକଟିଦେଉଳ ଗ୍ରାମବାସୀ ଏବେ ବନ୍ଦୀ ଜୀବନ ବିତାଉଛନ୍ତି। ମହାଲକ୍ଷ୍ମୀ ଏରିଆରେ DBL କମ୍ପାନୀର ୬ ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ନାଁରେ ଗାଁର ମୌଳିକ ରାସ୍ତାଘାଟକୁ ସମ୍ପୂର୍ଣ୍ଣ ସର୍ବସ୍ୱାନ୍ତ କରି ଦିଆଯାଇଥିଲେ ବି ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ ପାଲଟିଛି।
କମ୍ପାନୀର ବେପରୁଆ କାର୍ଯ୍ୟଶୈଳୀ ଓ ଭାରୀ ଯାନବାହନ ଚଳାଚଳ ଯୋଗୁଁ ଗାଁ ରାସ୍ତା ଏବେ ନଦୀର କାଦୁଅରେ ପରିଣତ ହୋଇଛି। ସବୁଠାରୁ ଦୁର୍ଭାଗ୍ୟଜନକ ବିଷୟ ହେଉଛି, ଗାଁକୁ ଆମ୍ବୁଲାନ୍ସଟିଏ ଆସିବା ପାଇଁ ବାଟ ନାହିଁ। ରୋଗୀ ଓ ଗର୍ଭବତୀ ମହିଳାମାନେ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହୋଇ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ବେଳେ ସରକାରୀ ବିଭାଗ ନୀରବଦ୍ରଷ୍ଟା ସାଜିଛି। ସ୍କୁଲ ପିଲା, ବୃଦ୍ଧବୃଦ୍ଧା ଓ ନିରୀହ ଗ୍ରାମବାସୀ ପ୍ରତିଦିନ ଏହି କାଦୁଅ ରାସ୍ତାରେ ଆଣ୍ଠୁଏ କାଦୁଅ ପେଷି ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି।
ସରକାର ବଡ଼ ବଡ଼ କମ୍ପାନୀଗୁଡ଼ିକୁ ସୁବିଧା ସୁଯୋଗ ଯୋଗାଇ ଦେବାରେ ଯେତିକି ତତ୍ପରତା ଦେଖାଉଛନ୍ତି, ସାଧାରଣ ଲୋକଙ୍କ ମୌଳିକ ସୁବିଧା ଓ ଯାତାୟାତ ପ୍ରତି ସେତିକି ପାରଂପରିକ ଅନ୍ଧପୁଟୁଳି ବାନ୍ଧିଛନ୍ତି। ‘ସମସ୍ତଙ୍କ ପାଇଁ ବିକାଶ’ର ଡିଣ୍ଡିମ ପିଟୁଥିବା ସରକାର ଓ ନିର୍ମାଣକାରୀ ସଂଘ ତୁରନ୍ତ ଏହି ରାସ୍ତାରେ ମୋରମ ପକାଇ ଯାତାୟାତ ଉପଯୋଗୀ ନକଲେ, ଆଗାମୀ ଦିନରେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇ ପ୍ରଶାସନ ବିରୋଧରେ ତୀବ୍ର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।






