ସୁନ୍ଦରଗଡ଼ ଲାଇଭ୍: ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ସାଧାରଣ ଖାଉଟିଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ପନିପରିବାଠାରୁ ଆରମ୍ଭ କରି ରାସନ ସାମଗ୍ରୀ ପର୍ଯ୍ୟନ୍ତ ସବୁକିଛି ମହଙ୍ଗା ହୋଇପଡ଼ିଥିବାରୁ ଲୋକଙ୍କ ପାଇଁ ଘର ଚଳାଇବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି।
ପରିବା ହାଟରେ ପିଆଜ କେଜି ୪୦ ଟଙ୍କାରୁ ବୃଦ୍ଧି ପାଇ ୫୦ ଟଙ୍କାରେ ପହଞ୍ଚିଥିବା ବେଳେ ଟମାଟୋ ୮୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ଅଦା ଓ କାଙ୍କଡ଼ କେଜି ୨୦୦ ଟଙ୍କା, ରସୁଣ ୨୪୦ ଟଙ୍କା, ବାହାର ବିନ୍ସ ୧୬୦ ଟଙ୍କା, ଜହ୍ନି ୮୦ ଟଙ୍କା ଏବଂ କଲରା, ବାଇଗଣ, ଗାଜର, ପୋଟଳ ୫୦ରୁ ୬୦ ଟଙ୍କାରେ ମିଳୁଛି। ଏକ ନମ୍ବର ହାଟ କଞ୍ଚା ପରିବା ବ୍ୟବସାୟୀ ସଂଘର ସଭାପତି କବିରାଜ ସ୍ବାଇଁଙ୍କ କହିବା ଅନୁଯାୟୀ, ନାସିକରେ ଲଗାତାର ବର୍ଷା ଯୋଗୁଁ ଯୋଗାଣ ବାଧାପ୍ରାପ୍ତ ହୋଇଛି, ଯାହା ଫଳରେ ଆଗାମୀ ଦିନରେ ପିଆଜ ଦର ଆହୁରି ବଢ଼ିବା ଆଶଙ୍କା ରହିଛି।
ଅପରପକ୍ଷରେ ରାସନ ସାମଗ୍ରୀ ମଧ୍ୟରେ ଚିନି ଦର ସବୁଠୁ ଅଧିକ ବୃଦ୍ଧି ପାଇଛି। ମାତ୍ର ଦୁଇ ସପ୍ତାହ ମଧ୍ୟରେ ଚିନି କେଜି ୫୫ରୁ ୬୫ ଟଙ୍କାରେ ପହଞ୍ଚିଛି। ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା ସୂଚନା ଦେଇଛନ୍ତି ଯେ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶରୁ ଆସୁଥିବା ଚିନିର ହୋଲସେଲ ଦର ଦେଢ଼ ମାସ ଭିତରେ କ୍ବିଣ୍ଟାଲ ପିଛା ୪୧୦୦ ଟଙ୍କାରୁ ୬୧୦୦ ଟଙ୍କାକୁ ବୃଦ୍ଧି ପାଇଛି। ଇଥାନଲ ପ୍ରସ୍ତୁତି ପାଇଁ ଆଖୁ ବ୍ୟବହୃତ ହେଉଥିବାରୁ ଏହି ସମସ୍ୟା ସୃଷ୍ଟି ହୋଇଛି। ଏହାସହ ରିଫାଇନ ତେଲ ଲିଟର ୧୮୦ ଟଙ୍କା, ସୋରିଷ ତେଲ ୨୦୦ରୁ ୨୨୦ ଟଙ୍କା ଏବଂ ଜିରା କେଜି ୨୯୦ ଟଙ୍କାରେ ବିକ୍ରି ହେଉଛି।
ଲଗାତାର ଦରବୃଦ୍ଧି ଯୋଗୁଁ ସାଧାରଣ ଓ ମଧ୍ୟବିତ୍ତ ପରିବାରର ମାସିକ ବଜେଟ ସମ୍ପୂର୍ଣ୍ଣ ବିଗିଡ଼ିଯାଇଥିବାରୁ ଏଥିପ୍ରତି ସରକାରୀ ହସ୍ତକ୍ଷେପ ଦାବି ହୋଇଛି।






