ସୁନ୍ଦରଗଡ଼ ଲାଇଭ୍: ଗ୍ରାମାଞ୍ଚଳର ଚେହେରା ବଦଳାଇବା ସହ ସହରୀ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ‘ଗ୍ରାମ ସମ୍ପଦ’ କାର୍ଯ୍ୟକ୍ରମ। ଏହି ଯୋଜନା ଅଧୀନରେ ରାଜ୍ୟର ପ୍ରତି ପଞ୍ଚାୟତରେ ଆଦର୍ଶ ଭିତ୍ତିଭୂମି ନିର୍ମାଣ କରାଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ସୂଚନା ଦେଇଛନ୍ତି। ଏଥିପାଇଁ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ମାର୍ଗଦର୍ଶିକା (SOP) ଏବଂ ରୋଡମ୍ୟାପ୍ ପ୍ରସ୍ତୁତ ସରିଛି।
ଏହି ନୂତନ କାର୍ଯ୍ୟକ୍ରମ ଅଧୀନରେ ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ, ଆଦର୍ଶ କଲ୍ୟାଣ ମଣ୍ଡପ, ଗ୍ରାମୀଣ ହାଟ, ଆଦର୍ଶ ପୋଖରୀ, ଶ୍ମଶାନ ଏବଂ ଗ୍ରାମୀଣ ପାର୍କ ନିର୍ମାଣ କରାଯିବ। ଆଦର୍ଶ ଖେଳ ପଡ଼ିଆ ପାଇଁ ୭୫ ଲକ୍ଷ ଟଙ୍କା ଏବଂ କଲ୍ୟାଣ ମଣ୍ଡପ ପାଇଁ ୪୯ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ଜନସଂଖ୍ୟା ଆଧାରରେ ପ୍ରତି ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟ ପାଇଁ ୧.୫ କୋଟିରୁ ୩ କୋଟି ଟଙ୍କା ପର୍ଯ୍ୟନ୍ତ ପାଣ୍ଠି ଖର୍ଚ୍ଚ କରାଯିବ।
ଗ୍ରାମସଭାରେ ପ୍ରକଳ୍ପଗୁଡ଼ିକର ଅନୁମୋଦନ ମିଳିବା ପରେ ତୁରନ୍ତ ନିର୍ମାଣ କାମ ଆରମ୍ଭ ହେବ। ୨୦୨୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗ୍ରାମାଞ୍ଚଳ ଭିତ୍ତିଭୂମିକୁ ସୁଦୃଢ଼ କରି ଲୋକଙ୍କ ପାଖରେ ମୌଳିକ ସେବା ପହଞ୍ଚାଇବାକୁ ସରକାର ମିଶନ ମୋଡ୍ରେ କାମ ଆରମ୍ଭ କରୁଥିବା ଚର୍ଚ୍ଚା ହେଉଛି।






