ସୁନ୍ଦରଗଡ଼ ଲାଇଭ୍: ଆସନ୍ତା ଅଗଷ୍ଟ ୨୮ ତାରିଖ ରାଖୀ ପୂର୍ଣ୍ଣିମା ଅବସରରେ ନୟାଗଡ଼ ଜିଲ୍ଲାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରାଯିବ। ଏହି ନିର୍ଦ୍ଧାରିତ ଦିନରେ ରାଜ୍ୟର ମୋଟ ୧,୦୩,୨୬,୧୬୨ ଜଣ ଯୋଗ୍ୟ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଡିବିଟି (DBT) ମାଧ୍ୟମରେ ସିଧାସଳଖ ୫,୧୬୦ କୋଟିରୁ ଅଧିକ ଟଙ୍କା ପଠାଯିବ। ଏହି ବୃହତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ନୟାଗଡ଼ଠାରେ ଏକ ବଡ଼ ସମାବେଶର ଆୟୋଜନ କରାଯାଉଛି।
ଏହି ସୂଚାରୁ ବଣ୍ଟନ ପ୍ରକ୍ରିୟା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତିମୂଳକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗ, ଓକାକ୍ (OCAC) ଟିମ୍ ଏବଂ ବିଭିନ୍ନ ବ୍ୟାଙ୍କର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ୫ମ କିସ୍ତିର ଡିବିଟି ପ୍ରଦାନ, ହିତାଧିକାରୀଙ୍କ ଚୂଡ଼ାନ୍ତ ତାଲିକା ଏବଂ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ସବିଶେଷ ସମୀକ୍ଷା କରିଛନ୍ତି।
ସୁଭଦ୍ରା ଟଙ୍କା ପଠାଇବା ପ୍ରକ୍ରିୟା ଯେପରି ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ହେବ ଏବଂ ହିତାଧିକାରୀମାନେ ଯେପରି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ସୁଦୃଢ଼ ରଖିବାକୁ ଉପମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ଅଧିକାରୀ ଓ ବ୍ୟାଙ୍କ ପ୍ରତିନିଧିମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।






