ସୁନ୍ଦରଗଡ଼ ଲାଇଭ୍: କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ‘ଖଣିଜ ଓ ଖଣି ଉନ୍ନୟନ ଏବଂ ନିୟନ୍ତ୍ରଣ’ (MMDR) ସଂଶୋଧନ ବିଲ୍କୁ ନେଇ ଓଡ଼ିଶା ରାଜନୀତି ଗରମାଗରମ ହୋଇଉଠିଛି। ଏହି ବିଲ୍ କାର୍ଯ୍ୟକାରୀ ହେଲେ ଓଡ଼ିଶା ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ବିପୁଳ ରାଜସ୍ୱ ହରାଇବ ବୋଲି ଅଭିଯୋଗ କରି କଂଗ୍ରେସ ଏହାକୁ ଦୃଢ଼ ବିରୋଧ କରିଛି। ଏହି ସମ୍ବେଦନଶୀଳ ମୁଦ୍ଦା ଉପରେ ବିସ୍ତୃତ ଚର୍ଚ୍ଚା କରିବା ପାଇଁ ତୁରନ୍ତ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦଳ ପକ୍ଷରୁ ଦାବି କରାଯାଇଛି।
ଏହି ସଂକ୍ରାନ୍ତରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଦମ୍ଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଲୋକସେବା ଭବନଠାରେ ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ବିଲ୍ ଫଳରେ ଖଣିଜ ସମ୍ପଦରେ ସମୃଦ୍ଧ ଓଡ଼ିଶାର ସାମ୍ବିଧାନିକ ଅଧିକାର କ୍ଷୁଣ୍ଣ ହେବା ସହ ଖଣି ରାଜସ୍ୱ ପ୍ରଭୂତ ପରିମାଣରେ ହ୍ରାସ ପାଇବ ବୋଲି ନେତାମାନେ ଅବଗତ କରାଇଛନ୍ତି। ରାଜସ୍ୱ କମିଲେ ରାଜ୍ୟର ବିକାଶମୂଳକ ଯୋଜନା ଓ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଗୁରୁତର ଭାବେ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି।
ତେଣୁ ରାଜ୍ୟର ସ୍ୱାର୍ଥ ରକ୍ଷା ପାଇଁ ବିଧାନସଭା ଗୃହରେ ଏହି ବିଲ୍ ଉପରେ ସ୍ୱତନ୍ତ୍ର ଆଲୋଚନା ହେବା ନିତାନ୍ତ ଜରୁରୀ ବୋଲି କଂଗ୍ରେସ କହିଛି। ଏହାଦ୍ୱାରା ସାଧାରଣ ଜନତା ବାସ୍ତବ ସ୍ଥିତି ବିଷୟରେ ଅବଗତ ହୋଇପାରିବେ ଏବଂ କେନ୍ଦ୍ର ସରକାରଙ୍କ ଉପରେ ନିଷ୍ପତ୍ତିର ପୁନର୍ବିଚାର ପାଇଁ ଚାପ ସୃଷ୍ଟି କରାଯାଇପାରିବ ବୋଲି ଦଳ ପ୍ରକାଶ କରିଛି।






