ସୁନ୍ଦରଗଡ଼ ଲାଇଭ୍: ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ବିପଦର ଘଣ୍ଟି ବଜାଇଛନ୍ତି ପାଣିପାଗ ବିଜ୍ଞାନୀ। ପ୍ରଶାନ୍ତ ମହାସାଗରରେ ଏକ ଅତି ଶକ୍ତିଶାଳୀ ‘ଏଲ୍-ନିନୋ’ ସୃଷ୍ଟି ହେଉଥିବା ବେଳେ, ଏହା ୧୯ଶ ଶତାବ୍ଦୀ ପରେ ସବୁଠାରୁ ଭୟଙ୍କର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି। ଏହାର ପ୍ରଭାବରେ ବିଶ୍ୱର ହାରାହାରି ତାପମାତ୍ରା ଅତ୍ୟଧିକ ବୃଦ୍ଧି ପାଇବା ସହ ଆଗାମୀ ୨୦୨୬ କିମ୍ବା ୨୦୨୭ ମସିହା ମାନବ ଇତିହାସର ସବୁଠାରୁ ଉତ୍ତପ୍ତ ବର୍ଷ ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି।
ସାଧାରଣତଃ ଏଲ୍-ନିନୋ ସମୟରେ ପ୍ରଶାନ୍ତ ମହାସାଗରର ପୂର୍ବ ଭାଗରେ ସମୁଦ୍ର ପୃଷ୍ଠର ତାପମାତ୍ରା ସ୍ୱାଭାବିକ ଠାରୁ ୧ରୁ ୨ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇଥାଏ। କିନ୍ତୁ ଚଳିତ ଥର ଏହି ତାପମାତ୍ରା ପ୍ରାୟ ୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବଢ଼ିବାର ଆଶଙ୍କା ରହିଛି, ଯାହାକି ଅତ୍ୟନ୍ତ ବିପଦଜନକ। ବ୍ରିଟେନର ମେଟ୍ ଅଫିସର ବରିଷ୍ଠ ବୈଜ୍ଞାନିକ ଆଡାମ୍ ସ୍କାଇଫ୍ଙ୍କ ଅନୁଯାୟୀ, ପୂର୍ବର ୧୯୮୨-୮୩, ୧୯୯୭-୯୮ ଏବଂ ୨୦୧୫-୧୬ର ଶକ୍ତିଶାଳୀ ଏଲ୍-ନିନୋ ତୁଳନାରେ ଚଳିତ ଥରର ସଙ୍କେତ ଅତ୍ୟନ୍ତ ଅଭୂତପୂର୍ବ ଓ ଭୟଙ୍କର ରହିଛି।
ଏହି ମହା-ଏଲ୍-ନିନୋର ସିଧାସଳଖ ନକାରାତ୍ମକ ପ୍ରଭାବ ଭାରତୀୟ ମୌସୁମୀ ଉପରେ ପଡ଼ିବ। ଏହାଦ୍ୱାରା ଦେଶରେ ମୌସୁମୀ ଦୁର୍ବଳ ହୋଇ ସ୍ୱାଭାବିକ ଠାରୁ କମ୍ ବର୍ଷା, ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଏବଂ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇପାରେ, ଯାହା କୃଷି ଓ ଭାରତୀୟ ଅର୍ଥନୀତି ପାଇଁ ବଡ଼ ଝଟକା ସାବ୍ୟସ୍ତ ହେବ। ଏଥିସହିତ ୨୦୨୭ ବେଳକୁ ବିଶ୍ୱର ହାରାହାରି ତାପମାତ୍ରା ଶିଳ୍ପ ବିପ୍ଳବ ପୂର୍ବ ସ୍ତର ଠାରୁ ୧.୫ ଡିଗ୍ରୀ ସେଲସିୟସ୍ ସୀମା ଅତିକ୍ରମ କରିବା ସମ୍ଭାବନା ଥିବାରୁ ବିଭିନ୍ନ ଦେଶର ପାଣିପାଗ ବିଭାଗ ଏବେଠାରୁ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।






