ସୁନ୍ଦରଗଡ଼ ଲାଇଭ୍: ସଂରକ୍ଷଣକୁ ଏକ ସାମ୍ବିଧାନିକ ଅଧିକାର ଦର୍ଶାଇ ଏହାକୁ ବିରୋଧ କରୁଥିବା କିମ୍ବା ଉଚ୍ଛେଦ କରିବାକୁ ଚାହୁଁଥିବା ଲୋକଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବାକୁ ଦାବି କରିଛନ୍ତି କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାୱଲେ। ରବିବାର ଏକ ବିବୃତି ଜାରି କରି ସେ କହିଛନ୍ତି ଯେ କୋଟା ବ୍ୟବସ୍ଥା ଏକ ସାମ୍ବିଧାନିକ ଅଧିକାର ହୋଇଥିବାରୁ ଏହାକୁ କେବେ ବି ଉଚ୍ଛେଦ କରାଯାଇପାରିବ ନାହିଁ। ସୋସିଆଲ ମିଡିଆରେ ସଂରକ୍ଷଣ ହଟାଇବା ପାଇଁ ଚାଲିଥିବା ଅଭିଯାନ ଏବଂ ଦିଲ୍ଲୀର ଯନ୍ତରମନ୍ତରଠାରେ ହୋଇଥିବା ପ୍ରତିବାଦକୁ ନେଇ ସେ କଡ଼ା ଚିନ୍ତା ପ୍ରକାଶ କରିଛନ୍ତି।
ଅନ୍ୟପଟେ, ସଂରକ୍ଷଣ ସଂସ୍କାର ଉପରେ ଯନ୍ତରମନ୍ତରଠାରେ ପ୍ରତିବାଦ କିମ୍ବା ସମାବେଶ କରିବା ପାଇଁ କୌଣସି ବ୍ୟକ୍ତି କିମ୍ବା ସଂଗଠନକୁ ଅନୁମତି ଦିଆଯାଇ ନଥିବା ଦିଲ୍ଲୀ ପୁଲିସ ସ୍ପଷ୍ଟ କରିଛି। ସୋସିଆଲ ମିଡିଆର ‘ବିଭ୍ରାନ୍ତିକର’ ପୋଷ୍ଟ ଆଧାରରେ ସେଠାରେ ଏକାଠି ନହେବାକୁ ପୁଲିସ ପକ୍ଷରୁ ଚେତାବନୀ ମଧ୍ୟ ଦିଆଯାଇଥିଲା। ତେବେ ପୁଲିସର ଏହି ବାରଣ ସତ୍ତ୍ବେ ବହୁସଂଖ୍ୟକ ପ୍ରତିବାଦକାରୀ ଯନ୍ତରମନ୍ତରଠାରେ ରୁଣ୍ଡ ହୋଇ ସଂରକ୍ଷଣ ବିରୋଧରେ ସ୍ଲୋଗାନ ଦେବା ସହ ପୋଷ୍ଟର ଓ ବ୍ୟାନର ପ୍ରଦର୍ଶନ କରିବା ଦେଖାଯାଇଛି।








