ସୁନ୍ଦରଗଡ଼ ଲାଇଭ୍ : ଗତ ବର୍ଷ ଦେଶର ବିଭିନ୍ନ ସରକାରୀ ସଂସ୍ଥା ଓ ମନ୍ତ୍ରଣାଳୟଗୁଡ଼ିକ ବିରୋଧରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆସିଥିବା ସାମ୍ନାକୁ ଆସିଛି। କେନ୍ଦ୍ରୀୟ ସତର୍କତା ଆୟୋଗ (ସିଭିସି)ଙ୍କ ବାର୍ଷିକ ରିପୋର୍ଟ ଅନୁଯାୟୀ, ଗତ ବର୍ଷ ମୋଟ ୭୦,୫୮୪ଟି ଦୁର୍ନୀତି ଅଭିଯୋଗ ଦାଖଲ ହୋଇଥିଲା, ଯେଉଁଥିରେ ବ୍ୟାଙ୍କିଙ୍ଗ୍ ସେକ୍ଟର ଏବଂ ରେଳ ବିଭାଗ ବିରୋଧରେ ସର୍ବାଧିକ ସଂଖ୍ୟକ ଅଭିଯୋଗ ରହିଛି। ଏହି ସମସ୍ତ ଅଭିଯୋଗ କମିସନଙ୍କ ପକ୍ଷରୁ ନିୟୋଜିତ ମୁଖ୍ୟ ସତର୍କତା ଅଧିକାରୀମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିଲା।
ତେବେ ମିଳିଥିବା ମୋଟ ଅଭିଯୋଗ ମଧ୍ୟରୁ ଡିସେମ୍ବର ୩୧ ସୁଦ୍ଧା ୬୪,୯୦୫ଟି ଅଭିଯୋଗର ନିଷ୍ପତ୍ତି ନିଆଯାଇ ସମାଧାନ କରାଯାଇଥିବା ବେଳେ ୫,୬୭୯ଟି ଅଭିଯୋଗ ବିଚାରାଧୀନ ଅବସ୍ଥାରେ ରହିଛି। ନିୟମ ଅନୁଯାୟୀ ଯେକୌଣସି ଅଭିଯୋଗର ତଦନ୍ତ ତିନି ମାସ ମଧ୍ୟରେ ଶେଷ ହେବା କଥା, ମାତ୍ର ଏହି ବିଚାରାଧୀନ ମାମଲାଗୁଡ଼ିକ ମଧ୍ୟରୁ ୨,୦୦୨ଟି ଅଭିଯୋଗ ତିନି ମାସରୁ ଅଧିକ ସମୟ ଧରି ଅଟକି ରହିଛି।
ବିଭାଗୱାରୀ ତଥ୍ୟକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ ବ୍ୟାଙ୍କଗୁଡ଼ିକ ବିରୋଧରେ ସବୁଠାରୁ ଅଧିକ ୯,୯୩୩ଟି ଅଭିଯୋଗ ଆସିଥିଲା, ଯେଉଁଥିରୁ ୯,୫୨୦ଟିର ସମାଧାନ ହୋଇଥିବା ବେଳେ ୪୧୩ଟି ବିଚାରାଧୀନ ରହିଛି। ସେହିପରି ରେଳ ବିଭାଗ ସମ୍ବନ୍ଧୀୟ ୯,୩୮୧ଟି ଅଭିଯୋଗ ମଧ୍ୟରୁ ୮,୭୫୪ଟିର ସମାଧାନ ସରିଛି ଏବଂ ୬୨୭ଟି ମାମଲା ପ୍ରକ୍ରିୟାଧୀନ ଅଛି। ଏହା ବ୍ୟତୀତ ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ବିରୋଧରେ ୬,୫୩୧ଟି, କୋଇଲା କ୍ଷେତ୍ରର ଶ୍ରମିକଙ୍କ ସହ ଜଡ଼ିତ ୪,୧୧୮ଟି, ଅର୍ଥ କ୍ଷେତ୍ର ବିରୋଧରେ ୩,୧୦୭ଟି ଏବଂ ପେଟ୍ରୋଲିୟମ ମନ୍ତ୍ରଣାଳୟ ସହ ଜଡ଼ିତ ୨,୭୨୨ଟି ଅଭିଯୋଗ ଗ୍ରହଣ କରାଯାଇଛି।








