ସୁନ୍ଦରଗଡ଼ ଲାଇଭ୍: ସରକାରୀ ସେବା ଦେବାରେ ବିଳମ୍ବ କଲେ ଏଣିକି ସରକାରୀ ଅଧିକାରୀଙ୍କୁ ଗଣିବାକୁ ପଡ଼ିବ ତଣ୍ଡ। ସାଧାରଣ ଲୋକଙ୍କୁ ସମୟସୀମା ମଧ୍ୟରେ ସେବା ଯୋଗାଇବା ପାଇଁ ରାଜ୍ୟ ସରକାର ଓଡ଼ିଶା ଜନସେବା ଅଧିକାର ଆଇନ ଅଧୀନରେ ‘ଅଟୋ ଅପିଲ୍ ସିଷ୍ଟମ’ ଲାଗୁ କରିଛନ୍ତି। ଏହି ନୂତନ ବ୍ୟବସ୍ଥା ଅନୁସାରେ, କୌଣସି ସେବା ପାଇଁ ଆବେଦନ କରିବାର ନିର୍ଦ୍ଧାରିତ ୩୦ ଦିନ ମଧ୍ୟରେ କାମ ନହେଲେ, ସମ୍ପୃକ୍ତ ଅଭିଯୋଗଟି ସ୍ୱୟଂଚାଳିତ ଭାବେ ଉପରିସ୍ଥ ଅଧିକାରୀଙ୍କ ନିକଟକୁ ପଠାଯିବ, ଯାହା ଦ୍ୱାରା ଆବେଦନକାରୀଙ୍କୁ ଅଲଗା ଭାବେ ଅପିଲ୍ କରିବାକୁ ପଡ଼ିବ ନାହିଁ।
ଏହି ନିୟମ ଅନୁଯାୟୀ, ସେବା ଯୋଗାଇବାରେ ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କ ଦରମାରୁ ଦୈନିକ ୨୫୦ ଟଙ୍କା ହିସାବରେ ସର୍ବାଧିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା କାଟିବାର ବ୍ୟବସ୍ଥା କରାଯାଇଛି। ସରକାରୀ କାର୍ଯ୍ୟାଳୟରେ ଅଯଥା ବିଳମ୍ବର ସମ୍ମୁଖୀନ ହେଉଥିବା ସାଧାରଣ ନାଗରିକଙ୍କ ପାଇଁ ଏହା ବଡ଼ ଆଶ୍ୱସ୍ତି ଆଣିଥିବା ବେଳେ, ପ୍ରଶାସନିକ ସେବାକୁ ଅଧିକ ଦ୍ରୁତ, ପାରଦର୍ଶୀ ଓ ଉତ୍ତରଦାୟୀ କରିବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ।






