ସୁନ୍ଦରଗଡ଼ ଲାଇଭ୍: ଉପରମୁଣ୍ଡ ଛତିଶଗଡ଼ରେ ଲଗାଣ ବର୍ଷା ଯୋଗୁଁ ମହାନଦୀରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ହୀରାକୁଦ ଡ୍ୟାମ୍ର ୧୬ଟି ଗେଟ୍ ଖୋଲା ରହିଥିବାରୁ ତଳମୁଣ୍ଡକୁ ଅଧିକ ପାଣି ଆସୁଛି, ଯାହାଫଳରେ ମହାନଦୀରେ ଏକ ଛୋଟ ଧରଣର ବନ୍ୟା ପରିସ୍ଥିତି ଉପୁଜିବା ନେଇ ଆଶଙ୍କା ଦେଖାଦେଇଛି। ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତଙ୍କ ସୂଚନା ଅନୁଯାୟୀ, ଆସନ୍ତାକାଲି ସୁଦ୍ଧା ମୁଣ୍ଡଳୀ ନିକଟରେ ପ୍ରାୟ ୬ ଲକ୍ଷ ୫୦ ହଜାରରୁ ୬ ଲକ୍ଷ ୭୦ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହୋଇପାରେ ଏବଂ ପ୍ରାୟ ୮ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ଏହି ଜଳସ୍ରୋତ ଜାରି ରହିବ।
ଏହି ସ୍ଥିତିକୁ ଦୃଷ୍ଟିରେ ରଖି ନଦୀର ତଳମୁଣ୍ଡରେ ଜଳସ୍ତର ଉପରେ କଡ଼ା ନଜର ରଖାଯାଇଛି। ଅନ୍ୟପକ୍ଷରେ ବଂଶଧାରା ନଦୀର ଉପରମୁଣ୍ଡରେ ସୃଷ୍ଟି ହୋଇଥିବା ଆକସ୍ମିକ ବନ୍ୟା (ଫ୍ଲାସ୍ ଫ୍ଲଡ୍) ସ୍ଥିତିରେ ଏବେ ସୁଧାର ଆସିଛି ଏବଂ ଜଳସ୍ତର କମିବାରେ ଲାଗିଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ନଥିବାରୁ ବୈତରଣୀ, ସାଳନ୍ଦୀ, ସୁବର୍ଣ୍ଣରେଖା ଓ ବ୍ରାହ୍ମଣୀ ନଦୀରେ ବନ୍ୟା ବିପଦ ଟଳିଯାଇଛି। ତେବେ ମହାନଦୀର ଜଳପ୍ରବାହ ବୃଦ୍ଧି ପାଉଥିବାରୁ ନଦୀକୂଳିଆ ଓ ତଳମୁଣ୍ଡରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।






