ସୁନ୍ଦରଗଡ଼ ଲାଇଭ୍: କଟକ ଐତିହାସିକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବୃଦ୍ଧି ପାଇବାରେ ଲାଗିଛି ବିବାଦ। କ୍ୟାମ୍ପସରେ ବାହ୍ୟ ଏବଂ ରାଜନୈତିକ ହସ୍ତକ୍ଷେପକୁ ବିରୋଧ କରି ଶୁକ୍ରବାର ଦିନ ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘର ସଦସ୍ୟମାନେ ସମୂହ ଛୁଟିରେ ଯାଇ ଗଣପ୍ରତିବାଦ କରିଛନ୍ତି। ଅଧ୍ୟାପକମାନେ କଳା ବ୍ୟାଜ୍ ପିନ୍ଧି ଉପ-ଚାନ୍ସଲର (କୁଳପତି)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ ବାହ୍ୟ ଚାପକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି।
ରେଭେନ୍ସା କ୍ୟାମ୍ପସକୁ ସମ୍ପୂର୍ଣ୍ଣ ରାଜନୈତିକ ପ୍ରଭାବରୁ ମୁକ୍ତ ରଖିବା ସହ ଅଧ୍ୟାପକମାନଙ୍କୁ ବିନା ହସ୍ତକ୍ଷେପରେ ଆତ୍ମସମ୍ମାନର ସହ କାର୍ଯ୍ୟ କରିବାକୁ ଦେବା ପାଇଁ ଶିକ୍ଷକ ସଂଘ ଦାବି କରିଛି। ସେମାନଙ୍କ କହିବା ଅନୁଯାୟୀ, ବିଶ୍ୱବିଦ୍ୟାଳୟର ସ୍ୱାଧୀନ ଶୈକ୍ଷିକ ଓ ପ୍ରଶାସନିକ ପରିବେଶକୁ ବଜାୟ ରଖିବା ଜରୁରୀ। କୌଣସି ପ୍ରକାର ରାଜନୈତିକ ଚାପ ଅଧ୍ୟାପକମାନଙ୍କ ବୃତ୍ତିଗତ ଦାୟିତ୍ୱ ଏବଂ ଅନୁଷ୍ଠାନର କାର୍ଯ୍ୟକାରିତା ଉପରେ କୁପ୍ରଭାବ ପକାଇବା ଉଚିତ୍ ନୁହେଁ।
ଏହି ସମ୍ବେଦନଶୀଳ ମୁଦ୍ଦା ଉପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନୀରବତା ଅବଲମ୍ବନ କରିଥିବାରୁ ଶିକ୍ଷକ ସମାଜ ଅସନ୍ତୋଷ ପ୍ରକାଶ କରିଛି। ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ପ୍ରଶାସନ ସେମାନଙ୍କ ଦାବିକୁ ସମ୍ପୂର୍ଣ୍ଣ ଅଣଦେଖା କରୁଥିବା ନେଇ ଅଧ୍ୟାପକମାନେ ଅଭିଯୋଗ କରିଛନ୍ତି।






