ସୁନ୍ଦରଗଡ଼ ଲାଇଭ୍: ଓଡ଼ିଶାରେ ବୃହତ୍ ଶିଳ୍ପ ନିବେଶ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଏବଂ ସେଗୁଡ଼ିକର ସୁଗମ କାର୍ଯ୍ୟାନ୍ୱୟନରେ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ନିବେଶ ବୃଦ୍ଧି, ଶିଳ୍ପ ବିକାଶ, ନୂତନ ରୋଜଗାର ସୃଷ୍ଟି ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ଏହି ବୈଠକରେ ‘ନାଲକୋ’ (NALCO) ଏବଂ ‘ଆଦାନୀ ଗ୍ରୁପ୍’ (Adani Group)ର ଭବିଷ୍ୟତ ନିବେଶ ଯୋଜନା ଓ ଚାଲୁଥିବା ପ୍ରକଳ୍ପଗୁଡ଼ିକର ସମୀକ୍ଷା କରାଯାଇଥିଲା ସ୍ମେଲ୍ଟର ଓ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟର ବ୍ରାଉନଫିଲ୍ଡ ସମ୍ପ୍ରସାରଣ ସହ ଉତ୍କଳ ‘ଡି’ ଏବଂ ‘ଇ’ କୋଇଲା ଖଣିର ଅଗ୍ରଗତି ଉପରେ ଆଲୋଚନା ହୋଇଥିଲା। ଏଥିସହିତ ଜମି ଅଧିଗ୍ରହଣ, ପୁନର୍ବାସ ଓ ଥଇଥାନ, ଜନ ଶୁଣାଣି, ଗ୍ରାମସଭା ଏବଂ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଧାମରା ଓ ଗୋପାଳପୁର ବନ୍ଦରର ସମ୍ପ୍ରସାରଣ, ଶିଳ୍ପ ପାର୍କ, ଆର୍ଥିକ କରିଡର, ଶକ୍ତି, ଆଲୁମିନିୟମ୍, ସିମେଣ୍ଟ, କୋଲ୍ ଗ୍ୟାସିଫିକେସନ୍, ଡାଟା ସେଣ୍ଟର, ଖଣି ଓ ଲଜିଷ୍ଟିକ୍ସ କ୍ଷେତ୍ରରେ ନିବେଶ ସୁଯୋଗ ଏବଂ ଭିତ୍ତିଭୂମି ବିକାଶ ସମ୍ପର୍କରେ ସମୀକ୍ଷା କରାଯାଇଥିଲା।
ପ୍ରକଳ୍ପଗୁଡ଼ିକ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ, ସଡ଼କ ଓ ରେଳ ସଂଯୋଗ, ଉପକୂଳ ନିୟନ୍ତ୍ରଣ ଅଞ୍ଚଳ (CRZ) ମଞ୍ଜୁରୀ ଭଳି ଆନୁଷଙ୍ଗିକ ସରକାରୀ ସହଯୋଗକୁ ତ୍ୱରାନ୍ୱିତ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସମ୍ପୃକ୍ତ ସରକାରୀ ବିଭାଗ, ଜିଲ୍ଲା ପ୍ରଶାସନ, ନାଲକୋ, ଓ ଆଦାନୀ ଗ୍ରୁପ୍ ମଧ୍ୟରେ ଘନିଷ୍ଠ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି।
ଏହି ସମୀକ୍ଷା ବୈଠକରେ ଉନ୍ନୟନ କମିସନର ଦେଓରଞ୍ଜନ କୁମାର ସିଂହ, ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ଇଡକୋ ଅଧ୍ୟକ୍ଷା ଊଷା ପାଢ଼ୀ, ଶକ୍ତି ଓ ଆଇଟି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ ଦେବଙ୍କ ସମେତ ବିଭିନ୍ନ ବିଭାଗର ସଚିବ, ଇଡକୋ, ଓଡ଼ିଶା ଖଣି ନିଗମ (OMC), ଇପିକଲ (IPICOL)ର ବରିଷ୍ଠ ଅଧିକାରୀ ଏବଂ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ (ଭର୍ଚୁଆଲ୍ ମାଧ୍ୟମରେ) ଉପସ୍ଥିତ ଥିଲେ।






