ସୁନ୍ଦରଗଡ଼ ଲାଇଭ୍: ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସମେଟିଭ୍-୧ ପରୀକ୍ଷା ପାଇଁ ଆଉ ମାତ୍ର ୪ ସପ୍ତାହ ସମୟ ବାକି ରହିଥିବା ବେଳେ ଏପର୍ଯ୍ୟନ୍ତ ସଂଶୋଧିତ ପାଠ୍ୟପୁସ୍ତକ ନମିଳିବା ଶିକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନୂତନ ଶିକ୍ଷାବର୍ଷ ଆରମ୍ଭ ହେବାର ୫ ମାସ ବିତିଯାଇଥିଲେ ସୁଦ୍ଧା ଅନେକ ବିଦ୍ୟାଳୟରେ ପିଲାଙ୍କ ପାଖରେ ସମ୍ପୂର୍ଣ୍ଣ ବହି ପହଞ୍ଚି ପାରିନାହିଁ। ଏପଟେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ସମେଟିଭ୍-୧ ପରୀକ୍ଷା କରିବା ପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଥିବାରୁ ପିଲାମାନେ କିପରି ଓ କେଉଁ ବହିରୁ ପଢ଼ି ପରୀକ୍ଷା ଦେବେ, ତାହାକୁ ନେଇ ଅଭିଭାବକ ଓ ଶିକ୍ଷକମାନେ ଗଭୀର ଚିନ୍ତାରେ ପଡ଼ିଛନ୍ତି।
ସୂଚନାଯୋଗ୍ୟ, ଗତ ଏପ୍ରିଲରୁ ଶିକ୍ଷାବର୍ଷ ଆରମ୍ଭ ହୋଇଥିଲେ ବି ସମୟସୀମା ମଧ୍ୟରେ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଇପାରି ନଥିଲା। ସ୍କୁଲ ଖୋଲିବା ପରେ ନୂଆ ବହିଗୁଡ଼ିକରେ ବ୍ୟାପକ ତଥ୍ୟଗତ ଓ ବନାନଗତ ତ୍ରୁଟି ଥିବା ପଦାକୁ ଆସିଥିଲା। ଏହି ମାମଲାରେ ତଦନ୍ତ ହୋଇ ଏସ୍ସିଇଆର୍ଟି (SCERT)ର ପୂର୍ବ ନିର୍ଦ୍ଦେଶକ ଗିରଫ ହେବା ସହ ୯ ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।
ବିଭାଗ ପକ୍ଷରୁ ସଂଶୋଧିତ ପାଠ୍ୟପୁସ୍ତକର ହାର୍ଡ କପି ବିଦ୍ୟାଳୟରେ ପହଞ୍ଚିବା ପୂର୍ବରୁ ୱେବ୍ସାଇଟ୍ରେ ଅପଲୋଡ୍ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ଏପର୍ଯ୍ୟନ୍ତ କୌଣସି ବହିର ସଂଶୋଧନ ପ୍ରକ୍ରିୟା ଶେଷ ହୋଇନଥିବା ବିଭାଗ ନିଜେ ସ୍ୱୀକାର କରିଛି। ପରୀକ୍ଷା ନିକଟତର ହେଉଥିବାରୁ ପିଲାମାନେ ଭୁଲ୍ ବହି ପଢ଼ି ପରୀକ୍ଷା ଦେବାକୁ ବାଧ୍ୟ ହେଉଛନ୍ତି ବୋଲି ଶିକ୍ଷକ ସଂଘ ଅଭିଯୋଗ କରିଛି।






