ସୁନ୍ଦରଗଡ଼ ଲାଇଭ୍: ନେପାଳରେ ବୁଧବାର ସୃଷ୍ଟି ହୋଇଥିବା ଭୟଙ୍କର ବନ୍ୟା ଓ ଜଳପ୍ରଳୟରେ ୪ ଜଣ ଓଡ଼ିଆଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ସୁରଭି, ତାଙ୍କ ସ୍ୱାମୀ ସନ୍ତୋଷ ସାହୁ, ପୁଅ ସ୍ପନ୍ଦନ ସାହୁ ଏବଂ ଝିଅ ସ୍ୟାନା କୁମାରୀ ସାହୁ। ସୁରଭି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ନିକଟସ୍ଥ ସାରୁ ଗ୍ରାମର ମୂଳବାସିନ୍ଦା ତଥା ଭାବା ଆଟୋମିକ୍ ରିସର୍ଚ୍ଚ ସେଣ୍ଟରର ଅବସରପ୍ରାପ୍ତ ଅଧିକାରୀ ମନ୍ମଥ ପାଢ଼ୀଙ୍କ ଝିଅ ଅଟନ୍ତି। ତାଙ୍କ ସ୍ୱାମୀ ସନ୍ତୋଷ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ପାର୍ବତୀପୁରମ ଅଞ୍ଚଳର ବାସିନ୍ଦା ଥିଲେ।
ସନ୍ତୋଷ ଲଣ୍ଡନରେ ଏକ ଆଇଟି କମ୍ପାନୀର ମାଲିକ ଥିବା ବେଳେ ପରିବାର ସହ ସେଠାରେ ସ୍ଥାୟୀ ଭାବେ ବସବାସ କରୁଥିଲେ। ସେମାନେ ଗତ ୫ ତାରିଖରେ ଲଣ୍ଡନରୁ ମୁମ୍ବାଇସ୍ଥିତ ଶ୍ୱଶୁର ଘରକୁ ଆସିଥିଲେ। ଗତ ୧୯ ତାରିଖରେ ଏକ ଟ୍ରାଭେଲ ଏଜେନ୍ସି ଜରିଆରେ ୩୩ ଜଣିଆ ପର୍ଯ୍ୟଟକ ଦଳ ସହ ସେମାନେ ମାନସସରୋବର ବୁଲିବାକୁ ଯାଇଥିଲେ। ବୁଧବାର ସକାଳ ପ୍ରାୟ ୮:୩୦ ମିନିଟ୍ରେ ନେପାଳର ରୁସୁଓ୍ବାଗଢ଼ିସ୍ଥିତ ଏକ ହୋଟେଲରେ ଜଳଖିଆ ଖାଉଥିବା ସମୟରେ ହଠାତ୍ ଆସିଥିବା ବନ୍ୟା ପାଣିରେ ସମ୍ପୂର୍ଣ୍ଣ ପରିବାର ଭାସି ଯାଇଥିଲେ। ବନ୍ୟା ଯୋଗୁଁ ତ୍ରିଶୁଳି-3A ଜଳବିଦ୍ୟୁତ୍ ପ୍ରକଳ୍ପ ସୁଡ଼ଙ୍ଗ ଭିତରେ ଶହ ଶହ ଲୋକ ଫସି ରହିଥିବା ବେଳେ ନେପାଳ ସରକାରଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି।
ମୃତ ପୁଅ ସ୍ପନ୍ଦନ ଲଣ୍ଡନର ଗୁଇଲଡ଼ଫୋର୍ଡସ୍ଥିତ ରୟାଲ ଗ୍ରାମର ସ୍କୁଲରେ ‘ଏ-ଲେଭଲ’ କୋର୍ସରେ ପଢ଼ୁଥିଲେ ଏବଂ ବିଶ୍ୱବିଦ୍ୟାଳୟର କ୍ରିକେଟ ଓ ହକି ଟିମ୍ର ସଦସ୍ୟ ଥିଲେ। ଏହି ଅଭାବନୀୟ ଘଟଣା ପରେ ଗଞ୍ଜାମ ଜିଲ୍ଲା ସହ ସେମାନଙ୍କ ଆତ୍ମୀୟସ୍ୱଜନଙ୍କ ମଧ୍ୟରେ ଗଭୀର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।






