ସୁନ୍ଦରଗଡ଼ ଲାଇଭ୍: ଲଘୁଚାପ ଜନିତ ଲଗାଣ ବର୍ଷା ଓ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ହେତୁ ରାଜ୍ୟରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବିଶେଷ କରି ଉତ୍ତର ଓ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳ ସମେତ ରାଜ୍ୟର ୨୦ଟି ଜିଲ୍ଲା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ସରକାରୀ ସୂଚନା ଅନୁଯାୟୀ, ୧୦୦ଟି ବ୍ଲକ୍, ୫୩୯ଟି ଗ୍ରାମ ପଞ୍ଚାୟତର ୧୪୫୮ଟି ଗାଁ ଏବଂ ୧୪ଟି ସହରାଞ୍ଚଳର ୧୭୬ଟି ୱାର୍ଡରେ ମୋଟ ୭ ଲକ୍ଷ ୫ ହଜାରରୁ ଊର୍ଦ୍ଧ୍ୱ ଲୋକ ବନ୍ୟା କବଳରେ ପଡ଼ିଛନ୍ତି।
ବୈତରଣୀ, ସାଳନ୍ଦୀ, ଜଳକା, ସୁବର୍ଣ୍ଣରେଖା, ତେଲ ଓ ଉତେଇ ଭଳି ପ୍ରମୁଖ ନଦୀଗୁଡ଼ିକରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ବନ୍ୟା ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଶହ ଶହ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଜଳବନ୍ଦୀ ଅବସ୍ଥାରେ ରହିଛି। ଅପରପକ୍ଷରେ, କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ଓ କେସିଙ୍ଗା ବ୍ଲକରେ ତେଲ ଓ ଉତେଇ ନଦୀର ବନ୍ୟାପାଣି ପଶି ଶହ ଶହ ଏକର ଚାଷଜମି ବୁଡ଼ାଇ ଦେଇଛି। ଏପରିକି ବେଲଖଣ୍ଡିର ଐତିହାସିକ ଧବଳେଶ୍ୱର ମନ୍ଦିରରେ ଫସିରହିଥିବା ପୂଜକ ଓ ଶ୍ରଦ୍ଧାଳୁଙ୍କୁ ଓଡ୍ରାଫ୍ (ODRAF) ଟିମ୍ ସହାୟତାରେ ଉଦ୍ଧାର କରାଯାଇଛି।
ମହାନଦୀ ଅବବାହିକାରେ ମଧ୍ୟ ବନ୍ୟାସ୍ଥିତି ସଙ୍ଗିନ ରହିଛି। ନରାଜ ଓ ମୁଣ୍ଡଳୀଠାରେ ୮.୭୩ ଲକ୍ଷ କ୍ୟୁସେକ୍ରୁ ଊର୍ଦ୍ଧ୍ୱ ଜଳ ପ୍ରବାହିତ ହେଉଥିବାରୁ କଟକ, ଜଗତସିଂହପୁର, ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାର ତଳିଆ ଅଞ୍ଚଳରେ ବନ୍ୟାପାଣି ପଶିବା ନେଇ ଆଶଙ୍କା ପ୍ରକାଶ ପାଇଛି। ମୁଣ୍ଡଳୀରେ ୧୨ ଲକ୍ଷ କ୍ୟୁସେକ ପର୍ଯ୍ୟନ୍ତ ଜଳ ନିଷ୍କାସନ କ୍ଷମତା ଥିବାରୁ ଏବଂ ହୀରାକୁଦର ଜଳସ୍ତର ନିୟନ୍ତ୍ରଣାଧୀନ (୬୨୦ ଫୁଟ) ଥିବାରୁ ପରିସ୍ଥିତି ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ଆୟତ୍ତରେ ରହିଛି। ତେବେ ମହାନଦୀର ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ଆଠଗଡ଼ ଉପଜିଲ୍ଲାପାଳଙ୍କ ପକ୍ଷରୁ ୪୮ ଘଣ୍ଟା ପାଇଁ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ କଟକଣା ଜାରି କରାଯାଇଛି। ସ୍ଥିତି ଅନୁଧ୍ୟାନ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଭିନ୍ନ ଅଞ୍ଚଳର ସମୀକ୍ଷା କରିଛନ୍ତି।
ପ୍ରଶାସନ ଓ ଉଦ୍ଧାରକାରୀ ଦଳର ମିଳିତ ପ୍ରୟାସରେ ଏପର୍ଯ୍ୟନ୍ତ ୧ ଲକ୍ଷ ୮୯ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟସାରା ୫୨୦ଟି ରିଲିଫ୍ କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି, ଯେଉଁଠାରେ ୧.୮୨ ଲକ୍ଷରୁ ଅଧିକ ଲୋକଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ, ପାନୀୟ ଜଳ, ଜରୁରୀ ଔଷଧ ଏବଂ ଶିଶୁଖାଦ୍ୟ ଯୋଗାଇ ଦିଆଯାଉଛି। ୨୪ଟି ଓଡ୍ରାଫ୍ (ODRAF), ୬ଟି ଏନଡିଆରଏଫ୍ (NDRF) ଏବଂ ୪୬ଟି ଅଗ୍ନିଶମ ବାହିନୀ ଟିମ୍ ବିପନ୍ନଙ୍କୁ ଉଦ୍ଧାର ପାଇଁ ଅହୋରାତ୍ର କାର୍ଯ୍ୟ କରୁଛନ୍ତି। ଗୃହପାଳିତ ପଶୁଙ୍କ ପାଇଁ ସ୍ୱତନ୍ତ୍ର ଶିବିର କରାଯାଇ ଗୋଖାଦ୍ୟ ଦିଆଯାଉଥିବା ବେଳେ ରିଲିଫ୍ କେନ୍ଦ୍ରଗୁଡ଼ିକରେ ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ମହିଳା ପୁଲିସ ନିୟୋଜିତ ହୋଇଛନ୍ତି।
ଗୁରୁବାର ପୂର୍ବାହ୍ନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଲୋକସେବା ଭବନଠାରେ ସମସ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ଏହାପରେ ସେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଆକାଶମାର୍ଗରୁ ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାର ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ମନ୍ତ୍ରୀଙ୍କ ସହ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଏବଂ ଏସଆରସି ରାଜେଶ ପ୍ରଭାକର ପାଟିଲ୍ ଉପସ୍ଥିତ ଥିଲେ।
ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୧୩୫୩ଟି ଘର ଏବଂ ୨୪,୮୯୬ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ବନ୍ୟାଜଳ ନିଷ୍କାସିତ ହେବାର ୭୨ ଘଣ୍ଟା (୩ ଦିନ) ମଧ୍ୟରେ କ୍ଷୟକ୍ଷତିର ଆକଳନ ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ରିପୋର୍ଟ ମିଳିବାର ଚତୁର୍ଥ ଦିନରେ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା/କ୍ଷତିପୂରଣ ଟଙ୍କା ପ୍ରଦାନ କରାଯିବ। ଚାଷୀମାନେ ବିଚଳିତ ନହେବା ପାଇଁ ଅପିଲ୍ କରିବା ସହ ସରକାର ପର୍ଯ୍ୟାପ୍ତ ସହାୟତା ଯୋଗାଇଦେବେ ବୋଲି ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି।
ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସ୍କୁଲ ଓ କଲେଜ ଛୁଟି ଘୋଷଣା କରାଯାଇଛି। ନଦୀକୂଳିଆ ଅଞ୍ଚଳ ଓ ଜଳମଗ୍ନ ରାସ୍ତାରେ ଯାତାୟାତ ନକରିବା ସହ କୌଣସି ପରିସ୍ଥିତିରେ ଆତଙ୍କିତ ନହେବାକୁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।






