ସୁନ୍ଦରଗଡ଼ ଲାଇଭ୍: ଆଜି ହେଉଛି ପଶ୍ଚିମ ଓଡ଼ିଶାର ଆତ୍ମା, ସଂସ୍କୃତି ଓ ଅସ୍ମିତାର ମହାପର୍ବ ସମ୍ବଲପୁରୀ ଦିବସ। ସମ୍ବଲପୁରୀ ସାହିତ୍ୟର ଅନନ୍ୟ ସାଧକ, ପୂଜ୍ୟ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ଅଗଷ୍ଟ ୧ ତାରିଖକୁ ପ୍ରତିବର୍ଷ ରାଜ୍ୟ ତଥା ଦେଶ-ବିଦେଶରେ ବେଶ୍ ଧୂମଧାମରେ ସମ୍ବଲପୁରୀ ଦିନ ଭାବେ ପାଳନ କରାଯାଉଛି। ଏହି ଅବସରରେ ଗାଁଠୁ ସହର ଏବଂ ମଞ୍ଚଠୁ ସୋସିଆଲ ମିଡିଆ ଯାଏଁ ସବୁଠି କେବଳ ସମ୍ବଲପୁରୀ ସଂସ୍କୃତି ଓ କଳାର ଭବ୍ୟ ଝଲକ ଦେଖିବାକୁ ମିଳୁଛି। ଲୋକମାନେ ସମ୍ବଲପୁରୀ ଶାଢ଼ୀ, କୁର୍ତ୍ତା, ଗାମୁଛା ଆଦି ପାରମ୍ପରିକ ପୋଷାକ ପିନ୍ଧି ଏହି ଉତ୍ସବରେ ସାମିଲ ହୋଇଛନ୍ତି।
ଏହି ଶୁଭ ଅବସରରେ ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବଲପୁରୀ ବସ୍ତ୍ର ଓ ହସ୍ତତନ୍ତ ସାମଗ୍ରୀର ବିଶେଷ ଷ୍ଟଲଗୁଡ଼ିକ ଖୋଲାଯାଇଛି। ସମ୍ବଲପୁରୀ ନୃତ୍ୟ-ଗୀତ, ଢୋଲ, ନିଶାଣ ଓ ତାସାର ତାଳେ ତାଳେ ମଞ୍ଚ ଦୁଲୁକୁଥିବା ବେଳେ ପଶ୍ଚିମ ଓଡ଼ିଶାର ସ୍ୱାଦିଷ୍ଟ ପାରମ୍ପରିକ ଖାଦ୍ୟ ଓ ପିଠା-ପଣାର ଆସର ଜମିଛି।
ସମ୍ବଲପୁରୀ ଦିବସ ଅବସରରେ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପତି ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ସମ୍ବଲପୁରୀ ଦିନ ଅଗଷ୍ଟ ୧ ତାରିଖ ଉଧେ ମୁଇଁ ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାବାସୀଙ୍କୁ ଇ ମହାନ୍ ପରମ୍ପରା, ଲୋକଗୀତ, ଲୋକନାଚ, ଭାଷା ସଂସ୍କୃତି ର ଉତ୍ତରୋତ୍ତର ସମୃଦ୍ଧି କାମନା କରିକରି ଶୁଭେଚ୍ଛା ଜ୍ଞାପନ କରୁଛେଁ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ଆମର ସମ୍ବଲପୁରୀ ଭାଷା, ସଂସ୍କୃତି, ଲୋକକଳା, ଲୋକଗୀତ, ନୃତ୍ୟ, ହସ୍ତତନ୍ତ ବୁଣାକାର୍ଯ୍ୟ ଓ ପରମ୍ପରା ଆମର ଗୌରବ ଏବଂ ପରିଚୟ। ପିଢ଼ି ପରେ ପିଢ଼ି ଧରି ଏହି ସମୃଦ୍ଧ ଐତିହ୍ୟ ଆମକୁ ଏକତାର ସୂତ୍ରରେ ବାନ୍ଧି ରଖିଛି ଏବଂ ସାରା ବିଶ୍ୱରେ ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଆସନ୍ତୁ ଏହି ଶୁଭ ଅବସରରେ ଆମର ଐତିହ୍ୟ, ଆମର ଗୌରବ ଓ ଆମର ପରିଚୟକୁ ଆହୁରି ସମୃଦ୍ଧ କରିବାର ସଂକଳ୍ପ ନେବା।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା ର୍ ବାଟ୍ କାଢୁଆଲ୍ ସ୍ୱର୍ଗତ ଗୁରୁଶ୍ରୀ ସତ୍ୟନାରାୟଣ ବହିଦାର ଆଜ୍ଞା ଙ୍କର୍ ଜନମ୍ ଦିନ୍ ସମ୍ବଲପୁରୀ ଦିନ୍ ଅବ୍ସର୍ ଥି ସମ୍’ଙ୍କୁ ଗୁର୍ଦ୍ଦୁଟେ ଶୁଭେଚ୍ଛା ଆର୍ ଅଭିନନ୍ଦନ୍ । ସମ୍ବଲପୁରୀ ଦିନ୍ର ମୂଲ୍ କଥା ହେଉଛେ, ନିଜର୍ ଭାଷା, ନିଜର୍ ସାହିତ୍ୟ, ନିଜର୍ ସଂସ୍କୃତି କେ ନେଇ କରି ଗର୍ବିତ୍ ପରିଚଏ ବନାବାର୍ ପ୍ରୟାସ୍ । ଆସୁନ୍, ଆମେ ସଭେ ମିଶିକରି ଇ ମହାନ୍ ସାଂସ୍କୃତିକ ପୁରା ଦୁନିଆ ଥି ପ୍ରଚାର୍-ପ୍ରସାର୍ କର୍ମା । ମାଁ ସମ୍ଲେଇକଁର୍ ଆଶୀର୍ବାଦ୍ ସଭିଁକଁର୍ ଉପ୍ରେ ସଦାବେଲେ ଥାଉ, ଇଟା ହିଁ ମୋର୍ କାମନା।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜ ସନ୍ଦେଶରେ କହିଛନ୍ତି ଯେ ସମ୍ବଲପୁରୀ ଦିନ୍ ଅବ୍ସର୍ ଥି ସମ୍’ଙ୍କୁ ମୋର୍ ଗୁର୍ଦୁଟେ ଶୁଭେଚ୍ଛା ଆର୍ ଅଭିନନ୍ଦନ୍। ଇ ମହାନ ଦିନରେ ବିଶିଷ୍ଟ ସାହିତ୍ୟିକ୍ ଗୁରୁ ସତ୍ୟନାରାୟଣ ବହିଦାରଙ୍କୁ ମୋର୍ ସମ୍ମାନ୍ ଆଉ ଶ୍ରଦ୍ଧାଞ୍ଜଳି ଜନଉଛେଁ, ଜୟ ମା’ ସମଲେଇ। ଏହିପରି ଭାବେ ଆଜି ସମଗ୍ର ଓଡ଼ିଶାବାସୀ ସମ୍ବଲପୁରୀ ଭାଷା, ବସ୍ତ୍ର ଓ କଳାର ଗୌରବ ଗାନ କରି ଶ୍ରଦ୍ଧା ଓ ଉତ୍ସାହର ସହ ଏହି ଦିନଟିକୁ ପାଳନ କରୁଛନ୍ତି।






