ସୁନ୍ଦରଗଡ଼ ଲାଇଭ୍: ନଦୀରୁ ବନ୍ୟା ପାଣି ଖସୁଛି ସିନା, ହେଲେ ବିପନ୍ନଙ୍କ ଜୀବନ ଜୀବିକାକୁ ନେଇ ସୃଷ୍ଟି ହୋଇଛି ବିରାଟ ପ୍ରଶ୍ନବାଚୀ। ଭାଙ୍ଗିଯାଇଥିବା ଘର-ଦ୍ୱାର, ପାଣିରେ ବୁଡ଼ି ରହିଥିବା ସମ୍ପତ୍ତି ଏବଂ ବାଲିଚର ହୋଇଥିବା ଚାଷଜମିକୁ ଦେଖି ଲୋକଙ୍କ ଆଖିରୁ ଲୁହ ଶୁଖୁନାହିଁ। ଜଳସ୍ତର କମିବା ପରେ ବନ୍ୟାପରବର୍ତ୍ତୀ ସ୍ଥିତି ଆହୁରି ସଙ୍ଗୀନ ହୋଇପଡ଼ିଛି। ଯାଜପୁର, ପୁରୀ ଓ ଭଦ୍ରକ ଜିଲ୍ଲାରୁ ସାମ୍ନାକୁ ଆସୁଥିବା ଆଶଙ୍କାଜନକ ଚିତ୍ର ବିପନ୍ନଙ୍କ ଦୁଃଖକୁ ଦ୍ୱିଗୁଣିତ କରିଦେଇଛି। ଗୋଟିଏ ପଟେ ବିଷାକ୍ତ ସାପ ଓ ବନ୍ୟଜନ୍ତୁଙ୍କ ଭୟ ଲୋକଙ୍କ ରତିଅନିଦ୍ରା କରୁଥିବା ବେଳେ ଅନ୍ୟପଟେ ଟୋପାଏ ବିଶୁଦ୍ଧ ପିଇବା ପାଣି ପାଇଁ ଆରମ୍ଭ ହୋଇଛି ସଂଘର୍ଷ।
ଯାଜପୁର ଜିଲ୍ଲାର ଦଶରଥପୁର, ବରୀ, ବିଂଝାରପୁର, ବଡ଼ଚଣା, ରସୁଲପୁର ଓ କୋରେଇ ବ୍ଲକରେ ପାଣି ଛାଡ଼ିବା ପରେ ଏବେ ସାପ ଭୟ ଲୋକଙ୍କ ନିନ୍ଦ ହରାଉଛି। ଘରର ଫ୍ରିଜ୍ଠାରୁ ଆରମ୍ଭ କରି ବାଇକ୍ ପର୍ଯ୍ୟନ୍ତ ସବୁଠି ବିଷଧର ସାପ ଲୁଚି ରହୁଥିବା ଦେଖାଯାଉଛି। ସ୍ନେକ୍ ହେଲ୍ପଲାଇନ୍ ଟିମ୍ ବିଭିନ୍ନ ସ୍ଥାନରୁ ସାପ ଉଦ୍ଧାର କରୁଥିବା ବେଳେ, ସରକାରୀ ତଥ୍ୟ ଅନୁଯାୟୀ ୫୦ରୁ ଅଧିକ ଲୋକ ସାପ ଓ କୀଟ କାମୁଡ଼ାର ଶିକାର ହୋଇସାରିଲେଣି। କେବଳ ସାପ ନୁହେଁ, ବରୀ ବ୍ଲକ ଡିହବାରୀ ଗାଁରେ ଏକ ବାର୍ହା ପଶି ଆସି ୪ ଜଣଙ୍କୁ ରୀତିମତ ଆକ୍ରମଣ କରି ଆହତ କରିଛି। ବନ ବିଭାଗର ୩ଟି ଟିମ୍ ଦୀର୍ଘ ୪୮ ଘଣ୍ଟା କ୍ରମାଗତ ଅପରେସନ୍ ଚଲାଇ ବାର୍ହାକୁ କାବୁ କରିବାକୁ ସମର୍ଥ ହୋଇଛନ୍ତି ସେହିପରି ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ବନ୍ୟା ପରବର୍ତ୍ତୀ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ଦୂଷିତ ପାଣି ଯୋଗୁଁ ଝାଡ଼ାବାନ୍ତି ଓ ଚର୍ମରୋଗ ବ୍ୟାପିବା ଭୟ ଥିବାରୁ ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ (RWSS) ‘ମୋବାଇଲ ଭେଇକେଲ ଟ୍ରିଟମେଣ୍ଟ ପ୍ଲାଣ୍ଟ’ ଜରିଆରେ ବନ୍ୟା ପାଣିକୁ ବିଶୁଦ୍ଧ କରି ପ୍ୟାକେଟ୍ ମାଧ୍ୟମରେ ଲୋକଙ୍କୁ ବାଣ୍ଟୁଛି। ଏହି ଗାଡ଼ି ଦ୍ୱାରା ଏକାଥରକେ ହଜାର ହଜାର ଜଳ ପ୍ୟାକେଟ୍ ପ୍ରସ୍ତୁତ କରାଯାଉଛି। ଦୋକନ୍ଦା, ବଡ଼ାସ ଓ ବାଲିପାଟଣା ଭଳି ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଥିତି ସ୍ୱାଭାବିକ ନହେବା ଯାଏଁ ଏହି ସେବା ଜାରି ରହିବ ବୋଲି ବିଡିଓ ସୂଚନା ଦେଇଛନ୍ତି।
ସେପଟେ ଭଦ୍ରକ ଜିଲ୍ଲାରେ ବନ୍ୟା ଜଳ ଅପସାରିତ ହେବା ପରେ କ୍ଷତିଗ୍ରସ୍ତ ଅଞ୍ଚଳରେ ସରକାରୀ ଆକଳନ ସ୍ଥିତି ପରଖିବା ଆରମ୍ଭ ହୋଇଛି। ସାଲନ୍ଦୀ ନଦୀର ଉଫାନ୍ରେ ଭଦ୍ରକ ବ୍ଲକ୍ ଅର୍ଣ୍ଣପାଳ ପଞ୍ଚାୟତର ସଂଖ୍ୟାଧିକ କଚ୍ଛା ଘର ସମ୍ପୂର୍ଣ୍ଣ ମାଟିରେ ମିଶି ଯାଇଥିବାରୁ ବିପନ୍ନମାନେ ଏବେ ଖୋଲା ଆକାଶ ତଳେ ଦିନ କାଟୁଛନ୍ତି। ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ରାଜସ୍ୱ ନିରୀକ୍ଷକ (RI) ସରଜମିନ ତଦାରଖ କରି ଭଙ୍ଗାରୁଜା ସ୍ଥିତିର ତାଲିକା ପ୍ରସ୍ତୁତ କରୁଛନ୍ତି। ବନ୍ୟାପ୍ରପୀଡ଼ିତଙ୍କୁ ଯଥାଶୀଘ୍ର ସରକାରୀ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲେ ହେଁ, ଜରୁରୀକାଳୀନ ଭାବେ ଚାଳ ଢାଙ୍କିବାକୁ ପଲିଥିନ୍ ଓ ଗୁଜରାଣ ମେଣ୍ଟାଇବାକୁ ତୁରନ୍ତ ଆର୍ଥିକ ସହାୟତା ବଢ଼ାଇବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।






