ସୁନ୍ଦରଗଡ଼ ଲାଇଭ୍: ସମ୍ବିଧାନର ଶିଳ୍ପୀ ତଥା ଭାରତରତ୍ନ ଡଃ ବି.ଆର. ଆମ୍ବେଦକରଙ୍କ ଏକ ବିରାଟ ମୂର୍ତ୍ତିର ଉନ୍ମୋଚନ ରବିବାର ରାଉରକେଲାର ଝିରପାଣି ଅଞ୍ଚଳରେ ଅନୁଷ୍ଠିତ ହୋଇଯାଇଛି। ଭୀମ ଆର୍ମି ରାଉରକେଲା ପକ୍ଷରୁ ଏହି ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ହଜାର ହଜାର ସମର୍ଥକ ଓ ସାଧାରଣ ଲୋକଙ୍କ ଉପସ୍ଥିତିରେ ‘ଜୟ ଭୀମ’ ନାରା ମଧ୍ୟରେ ଡଃ ଆମ୍ବେଡକରଙ୍କ ମୂର୍ତ୍ତିରୁ ପରଦା ହଟାଇ ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ଉପସ୍ଥିତ ଲୋକେ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପୁଷ୍ପାଞ୍ଜଳି ଦେଇ ଡଃ ଆମ୍ବେଦକରଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରିଥିଲେ।
କାର୍ଯ୍ୟକ୍ରମରେ ଭୀମ ଆର୍ମିର ନେତୃବୃନ୍ଦ କହିଥିଲେ ଯେ, ଡଃ ଆମ୍ବେଡକରଙ୍କ ଚିନ୍ତାଧାରା ଓ ଆଦର୍ଶ ସମାଜର ସମସ୍ତ ବର୍ଗଙ୍କୁ ଶିକ୍ଷା, ସଂଗଠନ ଓ ଅଧିକାର ପାଇଁ ସଂଘର୍ଷ କରିବାର ପ୍ରେରଣା ଦେଇଆସୁଛି। ତାଙ୍କ ଆଦର୍ଶକୁ ନୂତନ ପିଢ଼ି ମଧ୍ୟରେ ପହଞ୍ଚାଇବା ଏବଂ ସାମାଜିକ ନ୍ୟାୟର ବାର୍ତ୍ତାକୁ ଆଗକୁ ନେବା ମୂର୍ତ୍ତି ସ୍ଥାପନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେମାନେ କହିଥିଲେ।
ଏହି କାର୍ଯ୍ୟକ୍ରମରେ ବହୁ ସାମାଜିକ କର୍ମୀ, ବୁଦ୍ଧିଜୀବୀ, ଭୀମ ଆର୍ମିର ସଦସ୍ୟ ଓ ସ୍ଥାନୀୟ ଲୋକେ ଯୋଗଦେଇଥିଲେ। ସମଗ୍ର କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଥିଲା।






