ସୁନ୍ଦରଗଡ଼ ଲାଇଭ୍: ଆଜି ବିଶ୍ୱ ଆଦିବାସୀ ଦିବସ। ଆଦିବାସୀ ସମାଜର ଅଧିକାର, ସଂସ୍କୃତି, ପରମ୍ପରା ଓ ପ୍ରକୃତି ସହିତ ସେମାନଙ୍କର ନିବିଡ଼ ସମ୍ପର୍କକୁ ସମ୍ମାନ ଜଣାଇବାର ଏକ ବିଶେଷ ଦିନ। ଜଙ୍ଗଲରୁ ମିଳୁଥିବା ଫଳ, ମୂଳ, ମହୁ, ଶାଳପତ୍ର ଓ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ସେମାନଙ୍କ ଜୀବିକାର ଆଧାର। କିନ୍ତୁ ଜଙ୍ଗଲରୁ ଜୀବନଜୀବିକା ପାଇବା ସହିତ ଜଙ୍ଗଲକୁ ସୁରକ୍ଷା କରିବାର ପରମ୍ପରା ମଧ୍ୟ ଆଦିବାସୀ ସମାଜ ପିଢ଼ି ପରେ ପିଢ଼ି ବଜାୟ ରଖିଆସିଛି।
ଆଦିବାସୀଙ୍କ ପାରମ୍ପରିକ ଜ୍ଞାନ ଓ ପ୍ରକୃତି ପ୍ରତି ସମ୍ମାନ ଜଙ୍ଗଲ ସୁରକ୍ଷାରେ ଏକ ବଡ଼ ଭୂମିକା ନେଇଥାଏ। ଜଳ, ଜଙ୍ଗଲ ଓ ଜମିକୁ ସୁରକ୍ଷା କରିବା ସେମାନଙ୍କ ଜୀବନଧାରାର ଏକ ଅଂଶ। ଆଜି ଯେତେବେଳେ ଜଙ୍ଗଲ ଧ୍ୱଂସ, ପରିବେଶ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ମାନବ ସମାଜ ପାଇଁ ଚିନ୍ତାର କାରଣ ହୋଇଛି, ସେତେବେଳେ ପ୍ରକୃତି ସହ ସହାବସ୍ଥାନ କରି ଆସୁଥିବା ଆଦିବାସୀ ସମାଜର ପାରମ୍ପରିକ ଜ୍ଞାନର ଗୁରୁତ୍ୱ ଆହୁରି ବଢ଼ିଛି। ବିକାଶ ଆବଶ୍ୟକ, କିନ୍ତୁ ବିକାଶ ସହ ଆଦିବାସୀଙ୍କ ଜମି, ଜଙ୍ଗଲ, ଜୀବିକା, ସଂସ୍କୃତି ଓ ଅଧିକାର ମଧ୍ୟ ସୁରକ୍ଷିତ ହେବା ଦରକାର।






