ସୁନ୍ଦରଗଡ଼ ଲାଇଭ୍: ଚଳିତ ଶିକ୍ଷାବର୍ଷରେ ମଧ୍ୟ ରାଜ୍ୟର ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ହେବାର କୌଣସି ସମ୍ଭାବନା ଦେଖାଯାଉନାହିଁ। ଯଦି ଏହା ହୁଏ, ତେବେ ଲଗାତାର ନବମ ବର୍ଷ ପାଇଁ କ୍ୟାମ୍ପସରେ ଭୋଟଗ୍ରହଣ ବନ୍ଦ ରହିବ। ଯଦିଓ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ଆନୁଷ୍ଠାନିକ ବିଜ୍ଞପ୍ତି ଆସିନାହିଁ, କିନ୍ତୁ ବିଭାଗୀୟ ଆଲୋଚନା ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକର ମତାମତରୁ ଏଥର ମଧ୍ୟ ନିର୍ବାଚନ ନ କରାଇବା ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।
ନାମଲେଖା ପ୍ରକ୍ରିୟାରେ ଅହେତୁକ ବିଳମ୍ବ, କ୍ୟାମ୍ପସ ଅଶାନ୍ତି ଭୟ ଓ ‘ଜ୍ଞାନୋଦୟ-ଶିକ୍ଷାରୁ ସମୃଦ୍ଧି’ ଯୋଜନାକୁ ନେଇ ଚାଲିଥିବା ବିବାଦ ଏହି ନିଷ୍ପତ୍ତିର ମୁଖ୍ୟ କାରଣ ସାଜିଛି। ଏହି ନୂତନ ଯୋଜନାରେ ମାଗଣା ଶିକ୍ଷାଦାନ ନିୟମାବଳୀକୁ ନେଇ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ବ୍ୟାପକ ଅସନ୍ତୋଷ ଦେଖାଦେଇଛି। ଅନ୍ୟପଟେ, ଅଗଷ୍ଟ ୧୦ରୁ ଶିକ୍ଷାଦାନ ଆରମ୍ଭ ହେବାର ଥିବା ବେଳେ ତାହା ଅଗଷ୍ଟ ୨୧କୁ ଘୁଞ୍ଚିଯାଇଛି। ନାମଲେଖା ପ୍ରକ୍ରିୟା ଶେଷ ହୋଇନଥିବାରୁ ଏଭଳି ସ୍ଥିତିରେ ନିର୍ବାଚନ କରାଗଲେ ପାଠପଢ଼ା ଆହୁରି ବ୍ୟାହତ ହେବ ବୋଲି ବିଭାଗ ଆଶଙ୍କା କରୁଛି।
ସେହିପରି ଉଚ୍ଚଶିକ୍ଷା ବିଭାଗ ଏପର୍ଯ୍ୟନ୍ତ ନିଜସ୍ୱ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ କରିନଥିବାରୁ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ଅନିଶ୍ଚିତତା ଦେଖାଦେଇଛି। ପ୍ରଥମ ବର୍ଷର ନାମଲେଖା ଓ ଶିକ୍ଷାଦାନ ସୂଚୀ ସ୍ପଷ୍ଟ ହୋଇନଥିବା ବେଳେ ଶିକ୍ଷା କ୍ୟାଲେଣ୍ଡର ଆସିବା ପରେ ହିଁ ଛାତ୍ର ସଂସଦ ନିର୍ବାଚନ ସମ୍ପର୍କରେ ସରକାରଙ୍କ ଆଭିମୁଖ୍ୟ ପୂର୍ଣ୍ଣ ସ୍ପଷ୍ଟ ହେବ।






