ସୁନ୍ଦରଗଡ଼ ଲାଇଭ୍: ସ୍ୱାଧୀନତା ଦିବସର ଦିନକ ପୂର୍ବରୁ ଜାତୀୟ ରାଜଧାନୀ ଦିଲ୍ଲୀକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଖୋଲା ଧମକ। ଦିଲ୍ଲୀ ହାଇକୋର୍ଟ, ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର, ଦିଲ୍ଲୀ ମେଟ୍ରୋ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟକୁ ବିସ୍ଫୋରଣ କରିବା ପାଇଁ ଇମେଲ୍ ଜରିଆରେ ଧମକ ଦିଆଯିବା ପରେ ପୂରା ସହରରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି। ସମଗ୍ର ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇ ସ୍ୱତନ୍ତ୍ର ସୁରକ୍ଷା ବାହିନୀକୁ ମୁତୟନ କରାଯାଇଛି।
ଖଲିସ୍ତାନ ନାମରେ ଆସିଥିବା ଏହି ଧମକପୂର୍ଣ୍ଣ ଇମେଲ୍ରେ ଦିଲ୍ଲୀକୁ ଖଲିସ୍ତାନରେ ପରିଣତ କରିବାକୁ କୁହାଯାଇଛି। ଇମେଲ୍ ଅନୁଯାୟୀ, ଶନିବାର ଅପରାହ୍ଣ ୨ଟା ୧୧ ମିନିଟ୍ରେ ଦିଲ୍ଲୀ ହାଇକୋର୍ଟରେ ପ୍ରଥମ ବିସ୍ଫୋରଣ ହେବ ଏବଂ ଏହାର ଘଣ୍ଟାଏ ପରେ ଜିଲ୍ଲା କୋର୍ଟଗୁଡ଼ିକୁ ଟାର୍ଗେଟ କରାଯିବ। ୧୯୮୪ ଶିଖ୍ ଦଙ୍ଗାର ଆଳ ଦେଖାଇ ଦିଲ୍ଲୀ କୋର୍ଟରେ ଶିଖ୍ମାନଙ୍କ ବିରୋଧରେ ମାମଲାର ଶୁଣାଣି ହେଉଥିବା ଏଥିରେ ଅଭିଯୋଗ କରାଯାଇଛି। ଏହାସହ ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ଖଲିସ୍ତାନର ସଦସ୍ୟମାନେ ଦିଲ୍ଲୀରେ ପହଞ୍ଚିସାରିଛନ୍ତି ବୋଲି ମେଲ୍ରେ ଦାବି କରାଯାଇଛି।
ହାଇକୋର୍ଟ ଓ ବିମାନବନ୍ଦରର ଟର୍ମିନାଲ-୩ ବ୍ୟତୀତ ଜାମନଗର ହାଉସ୍, ଝଣ୍ଡେୱାଲାନ୍ କୋଠା, ସାକେତ କାର୍ଯ୍ୟାଳୟ, ଜିଲ୍ଲା ମାଜିଷ୍ଟ୍ରେଟ୍ କାର୍ଯ୍ୟାଳୟ, ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ସବ-ଡିଭିଜନାଲ୍ ମାଜିଷ୍ଟ୍ରେଟ୍ କାର୍ଯ୍ୟାଳୟ, ଦିଲ୍ଲୀ ମେଟ୍ରୋ ଏବଂ ଅମ୍ବାଲା ଯାଉଥିବା ଟ୍ରେନ୍ଗୁଡ଼ିକୁ ମଧ୍ୟ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ଧମକପୂର୍ଣ୍ଣ ମେଲ୍ ମିଳିବା ପରେ ପୁଲିସ, ବୋମା ନିରୋଧୀ ଦଳ ଏବଂ ଅଗ୍ନିଶମ ବାହିନୀ ତୁରନ୍ତ ସମସ୍ତ ଚିହ୍ନଟ ସ୍ଥାନଗୁଡ଼ିକରେ ପହଞ୍ଚି ବ୍ୟାପକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ତଦନ୍ତ ବେଳେ କୌଣସି ସନ୍ଦେହଜନକ ଜିନିଷ ମିଳିନଥିବା ସୂଚନା ମିଳିଛି।








