ସୁନ୍ଦରଗଡ଼ ଲାଇଭ୍: ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନିଜର ନୂତନ କେନ୍ଦ୍ରୀୟ ସାଙ୍ଗଠନିକ ଟିମ୍ ଘୋଷଣା କରିଛନ୍ତି। ଏହି ନୂଆ ଦଳରେ ବରିଷ୍ଠ ଓ ଅଭିଜ୍ଞ ନେତାଙ୍କ ସହ ମହିଳା ଓ ଯୁବ ନେତୃତ୍ୱକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଛି। ଓଡ଼ିଶା ଦୃଷ୍ଟିରୁ ଏହି ପୁନର୍ଗଠନ ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି, ଯେଉଁଥିରେ ଓଡ଼ିଶାର ବରିଷ୍ଠ ନେତା ସାଂସଦ ବୈଜୟନ୍ତ ପଣ୍ଡା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦବୀ ବଜାୟ ରଖିଥିବା ବେଳେ ପୁରୀ ସାଂସଦ ଡ. ସମ୍ବିତ ପାତ୍ରଙ୍କୁ ଉତ୍ତର-ପୂର୍ବ ଭାରତର ସଂଯୋଜକ ଭାବେ ନୂଆ ଦାୟିତ୍ୱ ଦିଆଯାଇଛି।
ନୀତିନଙ୍କ ଏହି ନୂଆ ଟିମରେ ମୋଟ ୧୩ ଜଣଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ୮ ଜଣଙ୍କୁ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଏବଂ ୧୬ ଜଣଙ୍କୁ ରାଷ୍ଟ୍ରୀୟ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି। ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ରାମ ମାଧବ, ତିରଥ ସିଂହ ରାୱତ, ପ୍ରଫେସର ଏମ୍. ନାଗରାଜ, ଡି. ପୁରନ୍ଦେଶ୍ୱରୀ ଓ ରେଖା ବର୍ମାଙ୍କ ପରି ନେତାମାନେ ଉପାଧ୍ୟକ୍ଷ ତାଲିକାରେ ସ୍ଥାନ ପାଇଛନ୍ତି। ସେହିପରି ବି.ଏଲ୍. ସନ୍ତୋଷଙ୍କ ସମେତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ବିନୋଦ ତାୱଡ଼େ, ସୁନୀଲ ବଂଶଲ, ବିପ୍ଳବ ଦେବ, ସତୀଶ ପୁନିଆ ଏବଂ ହରିଶ ଦ୍ୱିବେଦୀଙ୍କୁ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଦାୟିତ୍ୱ ଦିଆଯାଇଛି। ଏହାସହ ପୀୟୂଷ ଗୋୟଲଙ୍କୁ ଦଳର ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି।
ଏହି ନୂତନ କାର୍ଯ୍ୟକର୍ତ୍ତା ତାଲିକା ଚୟନ ସମୟରେ ଜାତିଗତ ସମୀକରଣ, ଯୁବ ବର୍ଗ ଏବଂ ମହିଳାଙ୍କ ପ୍ରତିନିଧିତ୍ୱ ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ଆଗାମୀ ବର୍ଷ ପ୍ରାରମ୍ଭରେ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ଆଖିଆଗରେ ରଖି ସେହି ରାଜ୍ୟର ଅନେକ ନେତାଙ୍କୁ ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବଣ୍ଟନ କରାଯାଇଛି। ଅଭିଜ୍ଞତା ଓ ନୂତନତାର ତାଳମେଳ ରଖି ଏହି ଟିମ୍ ଗଠନ କରାଯାଇଛି।
ନୂଆ ଟିମକୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଏହି ନବନିଯୁକ୍ତ ଦଳ ସାଙ୍ଗଠନିକ ଅଭିଜ୍ଞତା, ଶକ୍ତି ଏବଂ ତୃଣମୂଳ ସଂଯୋଗକୁ ଏକାଠି କରିଥାଏ, ଯାହା ଦଳକୁ ଆହୁରି ମଜବୁତ କରିବ। ଅନ୍ୟପଟେ ବିଜେପି ସଭାପତି ନୀତିନ ନବୀନ ମଧ୍ୟ ନବନିଯୁକ୍ତ ପଦାଧିକାରୀଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଏହି ଟିମ୍ ‘ବିକଶିତ ଭାରତ’ର ସଂକଳ୍ପକୁ ଆଗକୁ ନେବ ବୋଲି ଆଶାପ୍ରକାଶ କରିଛନ୍ତି।







